ସିଭିଲ ସର୍ଭିସ ଆଶାୟୀଙ୍କୁ ପାଠ ପଢ଼ାଇଲେ ଜିଲାପାଳ: ଅଚାନକ ପହଞ୍ଚି…

ଭଞ୍ଜନଗର,୧୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରଠାରେ ସିଭିଲ ସର୍ଭିସ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କୁ ଗଞ୍ଜାମ ଲକ୍ଷ୍ୟ ନିକେତନ ଯୋଜନା ମାଧ୍ୟମରେ ତାଲିମ ପ୍ରଦାନ କରାଯାଉଛି। ଆଜିକୁ ୨୦ ଦିନ ହେବ ତାଲିମ ପ୍ରଦାନ କରାଯାଉଛି। ସୋମବାର ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ଅଚାନକ ଭଞ୍ଜନଗର କେନ୍ଦ୍ରରେ ପହଞ୍ଚି ତାଲିମ ପ୍ରଦାନ କରିଥିଲେ। ଏଥିସହ ସେମାନେ କିଭଳି ଆଗକୁ ବଢ଼ିବେ ସେନେଇ ପରାମର୍ଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା, ଉପଜିଲାପାଳ ଉମା ଶଙ୍କର ବେହେରା, ସହକାରୀ ଉପଜିଲାପାଳ ପ୍ରଧାନ ତୁଲିଆମା, ବିଡିଓ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ଜିଲାରେ ସିଭିଲ ସର୍ଭିସ ଆଶାୟୀମାନଙ୍କୁ ତାଲିମ ଦେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ନ ଥିଲା। ଏଥିସହ ଗରିବ ମେଧାବୀ ଯୁବତୀଯୁବକମାନେ ବାହାରକୁ ପାଠ ପଢ଼ିବାକୁ ଯାଇ ପାରୁ ନ ଥିଲେ। ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ଗଞ୍ଜାମ ଲକ୍ଷ୍ୟ ନିକେତନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଜିଲାର ୩ଟି ଉପଖଣ୍ଡ ଭଞ୍ଜନଗର, ବ୍ରହ୍ମପୁର ଓ ଛତ୍ରପୁରଠାରେ ୩ଟି ତାଲିମ କେନ୍ଦ୍ର ଖୋଲାଯାଇଛି। ଉକ୍ତ ତାଲିମ କେନ୍ଦ୍ର ଗୁଡିକରେ ବଛାବଛା ମେଧାବୀ ଯୁବତୀଯୁବକଙ୍କୁ ତାଲିମ ଦେବା ପାଇଁ ଚୟନ କରାଯାଇଛି । ଏହିଭଳି ଭଞ୍ଜନଗର କେନ୍ଦ୍ରରେ ମଧ୍ୟ ୪୦ ଜଣ ତାଲିମ ନେଉଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଅନଲାଇନ କ୍ଲାସ, ଲାଇବ୍ରେରୀ ପ୍ରମୁଖ ସୁବିଧା ଯୋଗାଇ ଦିଆଯାଉଛି। ଏଥିସହ ଜିଲାର ବଛାବଛା ଦକ୍ଷ ଅଧିକାରୀମାନେ ବିଭିନ୍ନ ଦିବସରେ ତାଲିମ ଦେବାପାଇଁ ପଦକ୍ଷେପ ନିଆଯାଇଛି। ତେଣୁ ଆଜି ଜିଲାପାଳ ତାଲିମ ଦେଇଥିଲେ।

 

Dharitri – Odisha’s No.1 Odia Daily

 

Share