କୋରାପୁଟ,୨୫ା୧(ଅମିତାଭ ବେହେରା): ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ରବିବାର ବାତିଲ କରାଯାଇଛି। କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ରବିବାର ଏନେଇ ଜାରି କରିଥିବା ଚିଠିରୁ ଜଣାଯାଇଛି।
ସୂଚନା ଥାଉକି, ପୂର୍ବରୁ ଗତ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି କରି ଏହା କଡ଼ାକଡ଼ି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୨୬ ସୋମବାର ଜିଲାର ସବୁ ଅଞ୍ଚଳରେ ଯେପରି ଛେଳି ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ନ ହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାକୁ ନେଇ କିଛି ସାମାଜିକ ମିଡିଆରେ ତୀବ୍ର ବିରୋଧ ହୋଇଥିବାବେଳେ ସାଧାରଣରେ କଟକଣା ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

