ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଛତ୍ରପୁର ପୋଲିସ ପରେଡ୍ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।

ନିଜ ଅଭିଭାଷଣରେ ମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଦେଶର ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ବୀର ସଂଗ୍ରାମୀମାନଙ୍କୁ ସ୍ମରଣ କରିବାର ଏକ ପବିତ୍ର ଅବସର। ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ଏବଂ ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନର ଅବଦାନକୁ ସ୍ମରଣ କରିଥିଲେ। ଗଞ୍ଜାମ ମାଟିର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସହ ଜିଲାର କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବରେଣ୍ୟ ବ୍ୟକ୍ତିବିଶେଷଙ୍କ ଭୂମିକାକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସାମଗ୍ରିକ ବିକାଶ ସହ ଗଞ୍ଜାମ ଜିଲାର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ। ଗ୍ରାମାଞ୍ଚଳର ବିକାଶ, କୃଷକ କଲ୍ୟାଣ, ମହିଳା ସଶକ୍ତିକରଣ ଓ ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ। ଏଥିସହ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ।

ଜିଲାସ୍ତରୀୟ ପରେଡ୍‌ରେ ପୋଲିସ ଘୋଷବାଦ୍ୟ ଦଳ ସମେତ ମୋଟ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଦଳ ପକ୍ଷରୁ ଆକର୍ଷଣୀୟ ଶାରୀରିକ କ୍ରୀଡ଼ା, କସରତ ଓ ଦେଶପ୍ରେମମୂଳକ ପ୍ରଦର୍ଶନ କରାଯାଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସଂଯୋଜନାରେ ପୋଲିସ ଆର୍‌.ଆଇ. ସୁରେଶ କୁମାର ବଳିଆରସିଂହ ପ୍ୟାରେଡ୍ କମାଣ୍ଡର ଭାବେ ପରେଡ୍ ପରିଚାଳନା କରିଥିଲେ।

ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ପୋଲିସ ଜିଲା ଆରକ୍ଷୀ ଅଧୀକ୍ଷକ ହରିଶ ବି. ସି., ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କୁମାର କେର୍କେଟାଙ୍କ ସମେତ ବହୁ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀ ଉପସ୍ଥିତ ଥିଲେ।

ପରେଡ୍ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗଞ୍ଜାମ ଜିଲାର ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଜିଲାବାସୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମଧ୍ୟରେ ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ, ଏକତା ଓ ଜାତୀୟତାବୋଧର ପରିବେଶ ସୃଷ୍ଟି କରିଥିଲା।

Dharitri – Odisha’s No.1 Odia Daily

Share