ଜିଲା ବିଜେଡି ଉପସଭାପତି ନିଲମ୍ବିତ

ନବରଙ୍ଗପୁର,୧।୨(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ ଲଢୁଛନ୍ତି। ତେବେ ଦିବ୍ୟଦାନଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଭାବେ ଦିବ୍ୟଦାନ ସୁନା ଦାୟିତ୍ୱ ତୁଲାଉଥିଲେ। ଚଳିତ ନିର୍ବାଚନରେ ଦଳ ପକ୍ଷରୁ ତାଙ୍କୁ ଟିକେଟ ମିଳିଲା ନାହିଁ। ଏଠାରେ ବିଜେଡି ନୂଆ ଚେହେରା ନାରାୟଣ ରଥଙ୍କୁ ଟିକେଟ ଦେଇଛି। କଂଗ୍ରେସ ବୃନ୍ଦାବନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ଦିବ୍ୟଦାନଙ୍କ ଭଳି ଆଉ ଜଣେ ସ୍ବାଧୀନ ପ୍ରାର୍ଥୀ ହେଲେ ପ୍ରେମାଞ୍ଜଳି ନାଗ। ବିଜେଡିକୁ ଟକ୍କର ଦେଇ ବିଜୟୀ ହେବେ ବୋଲି ଦିବ୍ୟଦାନ କହିଛନ୍ତି। ଏହାକୁ ନେଇ ଚିନ୍ତାରେ ବିଜେଡି ପ୍ରାର୍ଥୀ ଓ ଜିଲା ବିଜେଡି ନେତୃବୃନ୍ଦ। ବିଜେଡି ଟିକେଟ ନ ମିଳିବାରୁ ଦିବ୍ୟଦାନ ଉପସଭାପତି ପଦରୁ ଇସ୍ତଫା ଦେଇଥିବା ବେଳେ ତାହା ଗୃହୀତ ହୋଇ ନ ଥିବା ସେ କହିଛନ୍ତି। ସେ ପୂର୍ବରୁ ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ପଞ୍ଚାୟତରେ ୪ଥର ସରପଞ୍ଚ ଓ ସମିତି ସଭ୍ୟ ହୋଇଥିବା ବେଳେ ୨୦୧୨ରୁ ୨୦୧୭ ମଧ୍ୟରେ ନନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଥିଲେ। ୬ମାସ ପାଇଁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ନୂଆ ଚେହେରାକୁ ଆଣି ଟିକେଟ ଦେଇଥିବାରୁ ତାହାର ଉଚିତ ଜବାବ ଦେବେ ବୋଲି ଦିବ୍ୟଦାନ କହିଛନ୍ତି।