ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ): ଆସନ୍ତା ୧୮ ଓ ୧୯ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ଛତ୍ରପୁରଠାରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୧୬ ତାରିଖ ସୁଦ୍ଧା ସମୁଦ୍ରରୁ ଫେରିଆସିବାକୁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବାବେଳେ, କ୍ଷୟକ୍ଷତି ଏଡ଼ାଇବା ପାଇଁ ପାଚିଲା ଫସଲ ତୁରନ୍ତ ଅମଳ କରିନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲିଠାରୁ ସମସ୍ତ ବ୍ଲକ୍ରେ ମାଇକ୍ ଯୋଗେ ଜନସଚେତନତା ସୃଷ୍ଟି କରାଯିବ। ‘ଶୂନ୍ୟ ମୃତାହତ’ ଲକ୍ଷ୍ୟ ହାସଲ ସହ ଗର୍ଭବତୀ ମହିଳା ଓ ଗୃହପାଳିତ ପଶୁଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଶୁଖିଲା ଖାଦ୍ୟ (ଚୁଡ଼ା, ଗୁଡ଼, ବିସ୍କୁଟ) ଓ ଔଷଧ ମହଜୁଦ ରଖିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜରୁରୀକାଳିନ ସ୍ଥିତି ପାଇଁ ସମସ୍ତ ସରକାରୀ ଛୁଟି ଏବଂ ସୋମବାରର ଜନଶୁଣାଣି ବାତିଲ କରାଯାଇଛି। ବିନା ଅନୁମତିରେ ସଦରମହକୁମା ନ ଛାଡ଼ିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ ପୂର୍ବ ବାତ୍ୟା ‘ଅର୍ଣ୍ଣବ’ରେ ପ୍ରଭାବିତ ପରିବାରଗୁଡ଼ିକୁ ଚାଉଳ ଓ ଆର୍ଥିକ ସହାୟତା ବଣ୍ଟନ ଜାରି ରହିଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନ ହୋଇ ପ୍ରଶାସନର ସତର୍କ ସୂଚନା ମାନିବାକୁ ଜିଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବୈଠକରେ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଜିଲାପାଳ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।