ଉଚ୍ଚଶିକ୍ଷାରେ ବୈଷମ୍ୟ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶା ସରକାର ନାରୀଙ୍କୁ ସମ୍ମାନ ଓ ମହିଳା ସଶକ୍ତୀକରଣ କଥା ଜୋର୍‌ ପାଟିରେ କହୁଥିଲାବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାରୀ ଶିକ୍ଷାନୁଷ୍ଠାନକୁ ଦେଖିଲେ ହତାଶ ହେବାକୁ ପଡ଼େ। ଏହାର ମୁଖ୍ୟ କାରଣ ଆମର ଯାବତୀୟ ରାଜନୈତିକ, ସାମାଜିକ, ପ୍ରଶାସନିକ ଆସ୍ଫାଳନ ସତ୍ତ୍ୱେ ଆମର ମନ ଏବେ ବି ପୁରୁଷକୈନ୍ଦ୍ରିକ ହୋଇ ରହିଛି।
କିଛିବର୍ଷ ତଳେ କେବଳ ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧର ମେହେର କଲେଜକୁ ଛାଡ଼ିଦେଲେ ଓଡ଼ିଶାର ବାକିସବୁ କଲେଜକୁ ଏକ ସ୍ତରର ଅନୁଷ୍ଠାନ ରୂପେ ଦେଖାଯାଉଥିଲା। ୯୦ ଦଶକରେ ସରକାର ମହାବିଦ୍ୟାଳୟଗୁଡ଼ିକର ବର୍ଗୀକରଣ କଲେ। ସେହି ବିଚାରରେ ଉଚ୍ଚଶିକ୍ଷା ବିଭାଗ ଏହି ତିନି କଲେଜକୁ ଛାଡ଼ି ବାକି କେତେକ ପ୍ରମୁଖ ମହାବିଦ୍ୟାଳୟକୁ ‘ଲିଡ୍‌’ କଲେଜ ରୂପେ ଘୋଷଣା କଲେ ଏବଂ ପରେ ସେହି କଲେଜଗୁଡ଼ିକ ସ୍ବୟଂଶାସିତ ମହାବିଦ୍ୟାଳୟରେ ରୂପାନ୍ତରିତ ହେଲା। ଏହି ‘ଲିଡ୍‌’ ବା ସ୍ବୟଂଶାସିତ ମାନ୍ୟତା ପ୍ରଦାନ ବେଳେ ବିଭାଗ ମହିଳା ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟ କଥା ଭାବିଲା ନାହିଁ କି ବିଚାର ମଧ୍ୟ କଲା ନାହିଁ। ଅର୍ଥାତ୍‌ କେବଳ ଶୈଳବାଳା ଓ ରମାଦେବୀ ମହିଳା ମହାବିଦ୍ୟାଳୟକୁ ଛାଡ଼ି ଓଡ଼ିଶାର କୌଣସି ସରକାରୀ ମହିଳା କଲେଜ ଏ ମାନ୍ୟତା ପାଇଲେ ନାହିଁ। ଅଥଚ ସେହି ମହକୁମାରେ ଥିବା ସହଧ୍ୟାୟୀ ମହାବିଦ୍ୟାଳୟଟିଏ ସ୍ବୀକୃତି ପାଇଲା। ଏଠାରେ ଉଲ୍ଲେଖଯୋଗ୍ୟ, ମହିଳା କଲେଜମାନ ଷାଠିଏ ବା ସତୁରି ଦଶକରେ ସ୍ଥାପିତ ହୋଇଥିଲା। ତେଣୁ ବିଳମ୍ବରେ ‘ଭୂମିଷ୍ଠ’ ହୋଇଥିବାରୁ ଏହି ‘କନ୍ୟାନୁଷ୍ଠାନ’ଗୁଡ଼ିକ ସବୁଦିନ ‘କନିଷ୍ଠ’, ନିମ୍ନମାନର ତଥା ଏକ ବଞ୍ଚତ୍ତ ଗୋଷ୍ଠୀ ହୋଇ ରହିଗଲେ। ଏହି କଲେଜଗୁଡ଼ିକୁ ପର୍ଯ୍ୟାୟକ୍ରମେ ଉନ୍ନୀତ କରି ସେଥିରେ ବିଜ୍ଞାନ, ବାଣିଜ୍ୟ ଶ୍ରେଣୀ ସହ ଆଧୁନିକ ବିଷୟ ତଥା ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଗଲାନାହିଁ। ବିଡ଼ମ୍ବନାର କଥା, ସରକାରଙ୍କ ଅବହେଳା ଓ ହୀନଦୃଷ୍ଟିର ଶିକାର ହୋଇ ବର୍ଗୀକରଣରେ ଖସିପଡ଼ିଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଆହୁରି ଲାଞ୍ଛତ୍ତ କରାଗଲା ଯେତେବେଳେ ଏହିସବୁ ଅନୁଷ୍ଠାନର ଅଧ୍ୟକ୍ଷ ପଦ ଲିଡ୍‌ ବା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦଠୁ ନିମ୍ନସ୍ତରରେ ରଖାଗଲା। ଅର୍ଥାତ୍‌ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀ ପ୍ରଫେସର ଗ୍ରେଡ୍‌ର ଥିବାବେଳେ ‘ଅଣସ୍ବୟଂଶାସିତ’ ବା ‘ଅଣ ଲିଡ୍‌’ କଲେଜର ଅଧ୍ୟକ୍ଷ ପଦବୀ ହେଲା ରିଡର ଗ୍ରେଡ୍‌ର।
ଇତିମଧ୍ୟରେ କିଛି ମହିଳା କଲେଜ ସେମାନଙ୍କ ଅଧ୍ୟକ୍ଷମାନଙ୍କ ପାରଦର୍ଶିତା ଓ ସରକାରଙ୍କ ସହଯୋଗକ୍ରମେ କଳା, ବାଣିଜ୍ୟ, ବିଜ୍ଞାନ ଶ୍ରେଣୀ ଖୋଲି ପୂର୍ଣ୍ଣାଙ୍ଗ ହୋଇଛନ୍ତି। କିନ୍ତୁ ଏହି ରୂପାନ୍ତରୀକରଣ ଦ୍ୱାରା ଏହି ଅନୁଷ୍ଠାନର ଅଧ୍ୟକ୍ଷ ପଦବୀ ଆପଣାଛାଏଁ ଉନ୍ନୀତ ହେବନାହିଁ। ସେମାନଙ୍କୁ ଆପଣାଛାଏଁ ସ୍ବୟଂଶାସିତ ମାନ୍ୟତା ମିଳିବ ନାହିଁ। ୟୁ.ଜି.ସି.ର ମାନ୍ୟତା ଆକଳନ ପରିଷଦ (ନାକ୍‌) ଦ୍ୱାରା ମୂଲ୍ୟାୟିତ ହେଲେ ହଁି ସେମାନେ ନୂତନ ନିୟମ ଅନୁସାରେ ସ୍ବୟଂଶାସିତ ମାନ୍ୟତା ପାଇବେ। ଓଡ଼ିଶା ପରିପ୍ରେକ୍ଷୀରେ ଅସ୍ବସ୍ତିକର ଖବର ଏହି ଯେ, ୟୁ.ଜି.ସି.ର ନୂଆ ନିୟମ ଅନୁସାରେ ସ୍ବୟଂଶାସିତ ମାନ୍ୟତା ପାଇଁ ଆବେଦନ କରିବାକୁ ହେଲେ କଲେଜକୁ ନାକ୍‌ ଦ୍ୱାରା ମୂଲ୍ୟାୟିତ ହୋଇ ‘ଏ’ ଗ୍ରେଡ୍‌ ପାଇବାକୁ ପଡ଼ିବ, ଯାହା ଓଡ଼ିଶା ପ୍ରସଙ୍ଗରେ ଦିବାସ୍ବପ୍ନ। କାରଣ ଓଡ଼ିଶାର କାଁ ଭାଁ ଗୋଟିଏ, ଯୋଡ଼ିଏ କଲେଜକୁ ଛାଡ଼ି ବାକିସବୁ କଲେଜ ‘ବି’ ଅବା ‘ସି’ ଗ୍ରେଡ୍‌ର। ଏଠାରେ ଉଲ୍ଲେଖଯୋଗ୍ୟ, ଉଚ୍ଚତର ମାନ୍ୟତା ପାଇଁ ଯେଉଁ ଯେଉଁ ଯୋଗ୍ୟତା ହାସଲ କରିବାକୁ ପଡ଼ିବ, ସେ ସବୁର ଚାବିକାଠି ସରକାରଙ୍କ ହାତରେ। ଯେପରି ଖାଲିଥିବା ପଦବୀ ପୂରଣ, ଉନ୍ନତମାନର ପାଠାଗାର ଓ ପରୀକ୍ଷାଗାର, ମହାବିଦ୍ୟାଳୟର ଗବେଷଣାତ୍ମକ କାର୍ଯ୍ୟକ୍ରମ, ପ୍ୟାଟେଣ୍ଟ ହାସଲ ତଥା ବିଭିନ୍ନ ବୈଷୟିକ କ୍ଷେତ୍ରରେ ପରାମର୍ଶଦାତାର ଯୋଗ୍ୟତା ହାସଲ ଇତ୍ୟାଦି। ମାତ୍ର ଦୁଃଖର କଥା, ସରକାର ଏ ଦିଗରେ ସେମିତି କିଛି ପଦକ୍ଷେପ ନିଅନ୍ତି ନାହିଁ, ଯେଉଁଥିପାଇଁ ଓଡ଼ିଶାର ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟ ନିମ୍ନ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ।
ଭାତହାଣ୍ଡିରୁ ଭାତ ଚିପିଲା ପରି ସରକାରୀ ମହିଳା କଲେଜ ପ୍ରତି ସରକାରଙ୍କ ଆଭିମୁଖ୍ୟର ଏକ କେସ୍‌ ଷ୍ଟଡି ହିସାବରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟକୁ ଦେଖାଯାଉ। ଦୀର୍ଘ ୨୬ ବର୍ଷ ବାରିପଦା ସହରର ଏକ ବାଳିକା ବିଦ୍ୟାଳୟରେ ସହାବସ୍ଥାନ କରି ଏହା ୨୦୦୧ରେ ସ୍ଥାନାନ୍ତରିତ ହେଲା ମୟୂରଭଞ୍ଜ ରାଜବାଟୀକୁ। ଇତିମଧ୍ୟରେ ୨୧ ବର୍ଷ ବିତିଗଲାଣି। ସ୍ବାଧୀନ ପରିସରଟିଏ ମିଳିଲା ନାହିଁ ଏହି ମହିଳା କଲେଜକୁ, ଯେହେତୁ ସେହି ପରିସରରେ ଏକ ସହଧ୍ୟାୟୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି। ଭାରତବର୍ଷର କେଉଁଠି ବି ଏକ ମହିଳା ଶିକ୍ଷାନୁଷ୍ଠାନ ଏକ ସହଧ୍ୟାୟୀ ଅନୁଷ୍ଠାନ ସହ ଏକ ପରିସରରେ, ଏକ ସମୟରେ କାର୍ଯ୍ୟ କରିବା ଦେଖାଯାଏ ନାହିଁ। ତେଣୁ ଅଧ୍ୟାପିକା, ଛାତ୍ରୀମାନଙ୍କ ସ୍ବାଧୀନତା, ସଂଭ୍ରମ, ମର୍ଯ୍ୟାଦା, ନିରାପତ୍ତା ବଳିପଡୁଛି ନିତିଦିନ। କେତେବେଳେ ସେହି କଲେଜର ତ କେତେବେଳେ ବାହାର ପୁଅମାନେ ନାନାଦି ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଖାଲି ସେତିକିରେ ଅନୁଷ୍ଠାନର ନିର୍ଯାତନାର କାହାଣୀ ସରୁନାହିଁ। ଶିକ୍ଷାନୁଷ୍ଠାନ ପରିସରରେ ଥିବା ହଷ୍ଟେଲରେ ପୁଅପିଲାମାନେ ରହୁଥିବା ବେଳେ ମହିଳା ମହାବିଦ୍ୟାଳୟର ଝିଅମାନେ ରହୁଛନ୍ତି ଏକ ବାଳିକା ସ୍କୁଲର ଭଙ୍ଗା ଆଜ୍‌ବେଷ୍ଟସ ଘରେ। ଏବେ ୬ କି.ମି. ଦୂର ନୂତନ ହଷ୍ଟେଲକୁ ସେମାନେ ଯିବେ। ଅର୍ଥାତ୍‌ ପୁଅମାନେ ରହିଲେ କଲେଜ କ୍ୟାମ୍ପସ୍‌ରେ, ଝିଅ ଯିବେ ରହିବାକୁ ୬ କି.ମି. ଦୂରକୁ। ଏସବୁ ବିଷୟରେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଯେତେଥର ଜଣାଇଲେ ବି ଫଳ ଶୂନ। ଆଗକୁ ନାକ୍‌ ଟିମ୍‌ର କଲେଜ ପରିଦର୍ଶନ ଅଛି। କଲେଜର ମଞ୍ଜୁରପ୍ରାପ୍ତ ଶିକ୍ଷକ ସଂଖ୍ୟା ପାଖାପାଖି ୪୦ ହୋଇଥିଲାବେଳେ ଅଛନ୍ତି ମାତ୍ର ୮/୧୦ ଜଣ। ଏପରି କି କଲେଜର ଶୈକ୍ଷିକ ହୃତ୍‌ପିଣ୍ଡ, ଲାଇବ୍ରେରିର ଏକମାତ୍ର ଲାଇବ୍ରେରିଆନ ପଦବୀ ୮ ବର୍ଷ ହେଲା ଖାଲି ରହିଛି। ଏପରି ସ୍ଥିତିରେ କି ପ୍ରକାର ନାକ୍‌ ମାନ୍ୟତା ପାଇବ ଏହି ଅନୁଷ୍ଠାନ?
ସରକାର ତଥା ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ ବହୁ ପଛରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଏକ ଉଦାର ମନୋଭାବ ପୋଷଣ କରି ଏମାନଙ୍କୁ ଭିତ୍ତିଭୂମି, ପାଠ୍ୟକ୍ରମ, ପଦବୀ ପୂରଣ-ସବୁଥିରେ ଅଗ୍ରାଧିକାର ଦେଇ ସେମାନଙ୍କୁ ନିକଟତମ ସହଧ୍ୟାୟୀ କଲେଜ ସହ ଏକ ସମତଳକୁ ଆଣନ୍ତୁ। ଗୋଟିଏ ମହକୁମାରେ ଥିବା ସହଧ୍ୟାୟୀ ଓ ମହିଳା କଲେଜ ଭିତରେ ଉପଲବ୍ଧ ସୁବିଧାର ତାରତମ୍ୟ ରଖା ନ ଯାଉ ଅବା ସେହି ତାରତମ୍ୟଭିତ୍ତିରେ ମହିଳା କଲେଜକୁ କ୍ଷୁଦ୍ର ମଣି ଅଧ୍ୟକ୍ଷ ନିଯୁକ୍ତିରେ ପାତରଅନ୍ତର କରା ନ ଯାଉ। ସରକାର କୁଳପତି ନିଯୁକ୍ତି ଦେଲାବେଳେ, ଜିଲା ବା ସବ୍‌ଡିଭିଜନରେ ପ୍ରଶାସନିକ ଅଧିକାରୀ ନିଯୁକ୍ତ କଲାବେଳେ, କୌଣସି ବିଶ୍ୱବିଦ୍ୟାଳୟ ଅବା ଜିଲାକୁ ଛୋଟ କିମ୍ବା ବଡ଼ ଭାବୁ ନ ଥିଲାବେଳେ, ଏକା ଶିକ୍ଷା ପ୍ରଦାନ କରୁଥିବା ଦୁଇ ଅନୁଷ୍ଠାନ ଭିତରେ ଅନୁଷ୍ଠାନ ମୁଖ୍ୟ ନିଯୁକ୍ତି ବେଳେ କାହଁିକି ଏ ଛୋଟ ବଡ଼ ଭେଦଭାବ ରଖୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ପଦବୀଗତ ତାରତମ୍ୟ ନ ଥିଲାବେଳେ, ପୁରୀ ସରକାରୀ ମହିଳା କଲେଜ ଓ ସାମନ୍ତ ଚନ୍ଦ୍ରଶେଖର କଲେଜର ଅଧ୍ୟକ୍ଷଦ୍ୱୟଙ୍କ ପଦବୀରେ ଉଚ୍ଚନୀଚ କାହିଁକି? ତେଣୁ ସ୍ବାଧୀନତା ପୂର୍ବରୁ ୯୦ ଦଶକ ପର୍ଯ୍ୟନ୍ତ ସବୁ ସରକାରୀ କଲେଜର ଅଧ୍ୟକ୍ଷ ଏକ ଶ୍ରେଣୀଭୁକ୍ତ ନିୟମକୁ ପୁନଃ ପ୍ରଚଳନ କରି ଏହି ଭେଦଭାବ ତୁରନ୍ତ ଅପସାରଣ କରନ୍ତୁ, ବିଶେଷତଃ ମହିଳା କଲେଜ ପ୍ରତି ରହିଥିବା ବାଛବିଚାରକୁ।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ ରୋଡ୍‌, ବାଲେଶ୍ୱର
ମୋ:୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri