ଡାଏଲିସିସ୍‌ ୟୁନିଟ୍‌ ଅଚଳାବସ୍ଥା ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୨୨।୬ – ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଡାଏଲିସିସ୍‌ ୟୁନିଟ୍‌ରେ ଅଚଳାବସ୍ଥା ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ୟୁନିଟ୍‌ରେ ପାଣି ସମସ୍ୟା ଥିବାରୁ ମଙ୍ଗଳବାର ରୋଗୀମାନଙ୍କର ଡାଏଲିସିସ ହୋଇ ପାରି ନ ଥିଲା। ଏନେଇ ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଲସେନ ଜଗଦ୍ଦେବଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ଗତ ଦେଢ଼ମାସ ପୂର୍ବରୁ ଉକ୍ତ ୱାର୍ଡ଼ରେ ପାଣି ସମସ୍ୟା ଦେଖାଦେଇଥିଲା। ଡାଏଲିସିସ ୟୁନିଟ୍‌ର ମ୍ୟାନେଜର ବିସ୍ମିତା ସାହୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇ ନ ଥିଲା। ଗତ ସୋମବାରଠାରୁ ଡାଏଲିସିସ ୟୁନିଟ୍‌ରେ ପାଣି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ବହୁ ରୋଗୀ ଡାଏଲିସିସ ହୋଇପାରୁ ନାହାନ୍ତି। ମଙ୍ଗଳବାର ପୂର୍ବାହ୍ନ ୭ଟା ୩୦ମିନିଟ୍‌ରୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମିଳିତ ଭାବେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ପୂର୍ବାହ୍ନ ୧୧ଟାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚତ୍ ୟୁନିଟ୍‌ରେ ଦେଖାଦେଇଥିବା ପାଣି ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ସହକାରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି ଯେ, ହସ୍‌ପିଟାଲ ପକ୍ଷରୁ ପାଣି ଯୋଗାଣ ପାଇଁ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପିଏଚ୍‌ଡ଼ି ବିଭାଗର ଅଧିକାରୀଙ୍କ ସହ କଥା ହୋଇଛୁ। ଯେପରି କୌଣସି ଅସୁବିଧା ହେଲେ ଯେପରି ସିଧାସଳଖ ଭାବେ ପାଣି ଯୋଗାଣ ହୋଇପାରିବ। ସେନେଇ ବ୍ୟବସ୍ଥା କରାଯିବା ସହ କୌଣସି ରୋଗୀ ଡାଏଲିସିସରୁ ବଞ୍ଚତ୍ତ ହେବେ ନାହଁି। ଆବଶ୍ୟକ ପଡ଼ିଲେ ଯେତେ ସମୟ ଲାଗିଲେ ମଧ୍ୟ ସମସ୍ତ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।