ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ: ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ

ବଞ୍ଚୋ,୭ା୧୧(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ପୌରପାଳିକାର ୧ ନମ୍ବର ଓ୍ବାର୍ଡ ଅଧୀନରେ ଥିବା ବିରିବଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରଧାନଶିକ୍ଷୟିତ୍ରୀ ଦୀର୍ଘ ୫୍‌ ଦିନ ହେବ ବିଦ୍ୟାଳୟକୁ ଆସୁ ନ ଥିବା ଏବଂ ପିଲାମାନଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁ ନ ଥିବା ଅଭିଯୋଗ କରି ଶନିବାର ସକାଳେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ।

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷୟିତ୍ରୀ ଅନେକ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏନେଇ ପଚାରିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁ ନ ଥିବା ସେମାନେ କହିଛନ୍ତି। ଫଳରେ ପିଲାମାନଙ୍କ ଭବିଷ୍ୟତ ଶିକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଅଭିଭାବକମାନେ ଆନନ୍ଦପୁର ଏବିଇଓଙ୍କୁ ଅବଗତ କରାଇବା ପରେ ସେ ନିଜେ ବିଦ୍ୟାଳୟରେ ପହଞ୍ଚିଥିଲେ। ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିବା ସହ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଘଟଣାର ତଦନ୍ତ କରାଯିବା ସହ ବିଦ୍ୟାଳୟରେ ନିୟମିତ ପାଠପଢ଼ା ସୁନିଶ୍ଚିତ କରିବା ଓ ସମସ୍ୟାର ସମାଧାନ କରିବାକୁ ଏବିଇଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଶିକ୍ଷାଦାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏପରି ଅବହେଳା ନ ହେବା ସହ ପିଲାମାନଙ୍କ ପାଠପଢ଼ା ଯେପରି ବ୍ୟାହତ ନ ହୁଏ, ସେଥିପ୍ରତି ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share