ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ଜୟପାଟଣା ବ୍ଲକ ରଣମାଲ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ୨୦୦ ଶହ କୁଇଣ୍ଟାଲ ଧାନ କିଣା ହୋଇଛି। ଅନେକ ଚାଷୀଙ୍କ ତାରିଖରେ ଟୋକାନ ବିଳମ୍ବ ଥିବା ଅଭିଯୋଗ ହୋଇଛି। କିଛି ଚାଷୀଙ୍କ ଧାନ ଅମଳ ଶେଷ ହୋଇଥିବା ବେଳେ ସେମାନଙ୍କ ଟୋକାନ ଜାନୁୟାରୀରେ ରହିଛି। ଅନ୍ୟପକ୍ଷରେ ଏହି ପ୍ୟାକ୍ସ ଅଧୀନରେ ୪ଟି ରଣମାଲ ସହ ବାଣ୍ଡି ଗାଁ, ଭେଜିଗୁଡା ଓ ଅରେବେଡା ଉପ ମଣ୍ଡି ରହିଛି। କିନ୍ତୁ ଏଥର ଭେଜିଗୁଡା ଓ ଅରେବେଡା ଦୁଇଟି ଉପମଣ୍ଡିକୁ ଚଳିତ ଖରିଫ ଧାନ କିଣାରେ ବାଦ ଦେଇ ରଣମାଲ ଓ ବାଣ୍ଡିଗାଁ ମଣ୍ଡିରେ ଉକ୍ତ ଚାଷୀମାନଙ୍କୁ ଟେଗ କରିଥିବାରୁ ଅସନ୍ତୋଷ ଦେଖାଦେଇଛି। ରଣମାଲ ପ୍ୟାକ୍ସରେ ଚଳିତ ଖରିଫ ଧାନ ବିକ୍ରି କରିବା ପାଇଁ ୨୩୩୬ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଉପମଣ୍ଡି ଅରେବେଡାରେ ୩୨୨ଜଣ ଓ ଭେଜିଗୁଡାରେ ୪୧୧ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଧର୍ମଗଡ଼ ଉପ ଜିଲାପାଳ ପାୱାର ସଚିନ ପ୍ରକାଶ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଅଶୋକ ଦାଶ, ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା, ଏଆରସିଏସ ପ୍ରବୀର କୁମାର ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।