ସୀମାରେ ବିବାଦ, ରାଜଧାନୀରେ ନୀରବତା

ନିର୍ବାଚନୀ ପ୍ରତିଶ୍ରୁତି, ରାଜନୈତିକ ଆରୋପ-ପ୍ରତ୍ୟାରୋପ ଓ ଆଇନଗତ ଲଢ଼େଇ ଭିତରେ ହଜିଯାଉଛି କୋଟିଆବାସୀଙ୍କ ଭବିଷ୍ୟତ। ଏବେ ଆବଶ୍ୟକ କେବଳ ଆଶ୍ୱାସନ ନୁହେଁ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ସମୟବଦ୍ଧ ସମାଧାନ। ଓଡ଼ିଶାର ମାନଚିତ୍ରରେ କୋଟିଆ କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ, ଏହା ରାଜ୍ୟର ସୀମା ସୁରକ୍ଷା, ଓଡ଼ିଆ ଅସ୍ମିତା ଓ ଆଦିବାସୀଙ୍କ ଅଧିକାର ସହ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏହି ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି। ସରକାର ବଦଳିଛନ୍ତି, ନେତା ବଦଳିଛନ୍ତି, ନିର୍ବାଚନୀ ସ୍ଲୋଗାନ ବଦଳିଛି, କିନ୍ତୁ କୋଟିଆର ଭାଗ୍ୟ ବଦଳିପାରିନାହିଁ। ପ୍ରଶ୍ନ ହେଉଛି, ଆଉ କେତେଦିନ ଏମିତି ଚାଲିବ?
କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ରହିଛି ୨୮ଟି ଗଁା। ସେଥିମଧ୍ୟରୁ ୨୧ଟି ଗଁାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ନିଜ ନିଜର ପ୍ରଶାସନିକ ଅଧିକାର ଦାବି କରିଆସୁଛନ୍ତି। ଏହି ବିବାଦ ନୂଆ ନୁହେଁ। ୧୯୬୮ ମସିହାରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୦୬ ମସିହାରେ ସୁପ୍ରିମକୋର୍ଟ ପୂର୍ବ ମାମଲାକୁ ଆଇନଗତ ଆଧାରରେ ଖାରଜ କରିବା ସହ ଉଭୟ ରାଜ୍ୟକୁ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ। ଆନ୍ତଃରାଜ୍ୟ ସୀମା ବିବାଦର ସ୍ଥାୟୀ ସମାଧାନରେ ସଂସଦର ସାମ୍ବିଧାନିକ ଭୂମିକା ମଧ୍ୟ ରହିଛି। ତଥାପି ଦୀର୍ଘ ବର୍ଷ ପରେ ବି ଏହି ପ୍ରସଙ୍ଗରେ କୌଣସି ଅନ୍ତିମ ସମାଧାନ ହୋଇପାରିନାହିଁ।
ବିଶେଷକରି ୨୦୨୧ ମସିହାରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବିବାଦୀୟ ଗଁାଗୁଡ଼ିକରେ ପଞ୍ଚାୟତ ନିର୍ବାଚନ କରାଯିବା ପରେ ବିବାଦ ଅଧିକ ତୀବ୍ର ହୋଇଥିଲା। ଏହାର ସ୍ଥାୟୀ ସମାଧାନ ପାଇଁ ୨୦୨୧ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏକ ମିଳିତ ବ୍ୟବସ୍ଥା ଗଠନ ପାଇଁ ସହମତି ପ୍ରକାଶ କରିଥିଲେ। ୨୦୨୨ରେ ଓଡ଼ିଶା ପୁଣି ସୁପ୍ରିମକୋର୍ଟରେ ମୂଳ ମାମଲା ଦାଏର କରିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ବିବାଦର ଅନ୍ତିମ ନିଷ୍ପତ୍ତି ଆସିନାହିଁ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ୨୦୨୬ ଅକ୍ଟୋବରରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଫଗୁଣସିନେରୀ, ଗଞ୍ଜେଇପଦର ଓ ଫାଟୁସିନେରୀ ଗଁାରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରାଯିବା ପରେ ବିବାଦ ପୁଣି ଉଗ୍ର ରୂପ ନେଲା। ଏହାର ପ୍ରତିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ତେବେ ନଭେମ୍ବର ୫ରେ ଅନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ପରେ ସ୍ଥିତି ଗମ୍ଭୀର ହୋଇଛି। ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରୁ ଆନ୍ଧ୍ର ସରକାର ଭୋଟ ନେବାରେ ସଫଳ ହୋଇଛନ୍ତି। ଏହା ଓଡ଼ିଶା ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।
ଭାଜପା, ବିଜେଡି ଓ କଂଗ୍ରେସ ନେତାମାନେ ଦଳୀୟ ମତଭେଦ ଭୁଲି କୋଟିଆର ସ୍ବାର୍ଥ ରକ୍ଷା ପାଇଁ ଏକାଠି ହେବା ଏକ ସକାରାତ୍ମକ ସଙ୍କେତ। ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି। ୨୦୨୪ ନିର୍ବାଚନ ପୂର୍ବରୁ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ଓ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷାକୁ ନେଇ ଭାଜପା ଦୃଢ଼ ପ୍ରତିଶ୍ରୁତି ଦେଇଥିଲା। ସେତେବେଳେ ବିରୋଧୀ ଦଳରେ ଥିବା ଭାଜପା ନେତାମାନେ ତତ୍କାଳୀନ ସରକାରଙ୍କ ଉପରେ କଡ଼ା ଆକ୍ରମଣ କରୁଥିଲେ। ଆଜି ସେହି ଦଳ ରାଜ୍ୟରେ କ୍ଷମତାସୀନ। ଏପରି କି କେନ୍ଦ୍ରରେ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏନ୍‌ଡିଏ ସହଯୋଗୀ ଦଳର ସରକାର ରହିଛି। ଏଭଳି ଅନୁକୂଳ ରାଜନୈତିକ ପରିସ୍ଥିତିରେ ଯଦି କୋଟିଆ ବିବାଦର ସମାଧାନ ହୋଇପାରୁନାହିଁ, ତେବେ ଡବଲ୍‌ ଇଞ୍ଜିନ ସରକାରର ପ୍ରକୃତ ଲାଭ ଓଡ଼ିଶା କେବେ ପାଇବ?
ଅନ୍ୟପଟେ ବିଜେଡି ପକ୍ଷରୁ ଏବକାର ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ଟିଡିପି କେନ୍ଦ୍ରରେ ଏନ୍‌ଡିଏର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇଥିବାରୁ ଓଡ଼ିଶା ସରକାର ଆନ୍ଧ୍ର ବିରୋଧରେ କଠୋର ଆଭିମୁଖ୍ୟ ନେବାରେ କୁଣ୍ଠାବୋଧ କରୁଛନ୍ତି କି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏହା ଏକ ରାଜନୈତିକ ଆରୋପ ହୋଇପାରେ, କିନ୍ତୁ ଏହାର ଜବାବ କେବଳ ବିବୃତି ଦେଇ ନୁହେଁ, ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ସରକାରଙ୍କୁ ଦେବାକୁ ପଡ଼ିବ। ପୂର୍ବ ସରକାର ଦୀର୍ଘ ୨୪ ବର୍ଷରେ ସମସ୍ୟାର ସମାଧାନ କରିପାରି ନ ଥିଲେ ବୋଲି କହି ବର୍ତ୍ତମାନର ସରକାର ନିଜ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ।
କେବଳ ସୀମା ବିବାଦ ନୁହେଁ, କୋଟିଆବାସୀଙ୍କ ମନ ଜିତିବା ମଧ୍ୟ ଏହି ସମସ୍ୟାର ଏକ ବଡ଼ ଦିଗ। ଯେଉଁ ଅଞ୍ଚଳରେ ଦୁଇ ରାଜ୍ୟର ସରକାରୀ ଅଧିକାରୀ ପହଞ୍ଚୁଛନ୍ତି, ଯେଉଁଠାରେ ଲୋକେ ଉଭୟ ରାଜ୍ୟର ଯୋଜନାର ସୁବିଧା ପାଉଛନ୍ତି, ସେଠାରେ ପ୍ରଶାସନିକ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ବାଭାବିକ। କେତେଜଣ ଲୋକଙ୍କ ପାଖରେ ଉଭୟ ରାଜ୍ୟର ପରିଚୟପତ୍ର ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହା କେବଳ ପ୍ରଶାସନିକ ସମସ୍ୟା ନୁହେଁ, ଏହା ସେଠାକାର ଲୋକଙ୍କ ଭବିଷ୍ୟତ ଓ ପରିଚୟର ପ୍ରଶ୍ନ।
ସରକାରଙ୍କ ପକ୍ଷରୁ ୨୦୨୫ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କରାଯାଇ କୋଟିଆର ସ୍ବତନ୍ତ୍ର ବିକାଶ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ କମିଟି ଗଠନ କିମ୍ବା ମନ୍ତ୍ରୀଙ୍କ ଗସ୍ତରେ ସମସ୍ୟାର ସମାଧାନ ହେବନାହିଁ। ପ୍ରତ୍ୟେକ ଗଁାରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ସ୍ବାସ୍ଥ୍ୟସେବା, ଶିକ୍ଷା, ଜୀବିକା ଓ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ। ଓଡ଼ିଶା ସରକାରଙ୍କ ଯୋଜନା ଯେପରି ପ୍ରତ୍ୟେକ ଯୋଗ୍ୟ ପରିବାର ପାଖରେ ନିରନ୍ତର ପହଞ୍ଚତ୍ବ, ସେଥିପାଇଁ ସ୍ଥାୟୀ ପ୍ରଶାସନିକ ବ୍ୟବସ୍ଥା ଆବଶ୍ୟକ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଆଇନ ବିଶେଷଜ୍ଞ ଓ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ହେବା ଆବଶ୍ୟକ। ଇତିହାସ, ରାଜସ୍ବ ରେକର୍ଡ, ପୁରୁଣା ସର୍ଭେ, ଜନଗଣନା ତଥ୍ୟ ଓ ପ୍ରଶାସନିକ ଦସ୍ତାବିଜକୁ ଆଧାର କରି ଏକ ସ୍ପଷ୍ଟ ଆଇନଗତ ରଣନୀତି ପ୍ରସ୍ତୁତ କରାଯିବା ଦରକାର। ସମ୍ବିଧାନର ଅନୁଚ୍ଛେଦ ୩ ଅନୁଯାୟୀ ରାଜ୍ୟର ସୀମା ପରିବର୍ତ୍ତନ ସମ୍ପର୍କରେ ସଂସଦର ଭୂମିକା ରହିଛି। ତେଣୁ ଏହି ଦିଗରେ କେନ୍ଦ୍ର ସରକାର ଆଇନଗତ ଓ ସାମ୍ବିଧାନିକ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଆବଶ୍ୟକ।
ସବୁଠାରୁ ବଡ଼ କଥା ହେଉଛି, କୋଟିଆକୁ କେବଳ ନିର୍ବାଚନ ସମୟର ରାଜନୈତିକ ପ୍ରସଙ୍ଗ କରା ନ ଯାଉ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଆସିଲେ କୋଟିଆ କଥା ଉଠେ, ଓଡ଼ିଶାରେ ରାଜନୈତିକ ଚର୍ଚ୍ଚା ବଢ଼େ, ନେତାମାନେ ଗସ୍ତ କରନ୍ତି, ବିବୃତି ଦିଅନ୍ତି; କିନ୍ତୁ ନିର୍ବାଚନ ସରିଗଲେ ପୁଣି ସବୁ ଶାନ୍ତ। ଏହି ପରମ୍ପରାର ଅନ୍ତ ହେବା ଦରକାର। କୋଟିଆ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳ ଏକାଠି ହୋଇ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଲଢ଼ିବା ଦରକାର। କୋଟିଆର ଲୋକମାନେ କୌଣସି ରାଜନୈତିକ ଦଳର ଭୋଟ ବ୍ୟାଙ୍କ ନୁହନ୍ତି। ସେମାନେ ଓଡ଼ିଶାର ନାଗରିକ, ସେମାନଙ୍କର ମଧ୍ୟ ସମ୍ମାନର ସହ ବଞ୍ଚତ୍ବା ଓ ନିଜ ଅଞ୍ଚଳରେ ଉନ୍ନତି ପାଇବାର ଅଧିକାର ରହିଛି। ସେମାନଙ୍କୁ ଦୁଇ ରାଜ୍ୟର ପ୍ରତିଯୋଗିତା ମଧ୍ୟରେ ଅନିଶ୍ଚିତତାରେ ଛାଡ଼ିଦେବା ଉଚିତ ନୁହେଁ।
ଆଜି ଓଡ଼ିଶାବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ – କୋଟିଆ ବିବାଦର ସମାଧାନ କେବେ? ଡବଲ୍‌ ଇଞ୍ଜିନ ସରକାର ଏହି ସୁଯୋଗକୁ ଐତିହାସିକ ପଦକ୍ଷେପରେ ପରିଣତ କରିବେ ନା ଏହି ପ୍ରସଙ୍ଗ ମଧ୍ୟ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି ହୋଇ ରହିଯିବ? ଓଡ଼ିଶାର ଭୌଗୋଳିକ ଅଖଣ୍ଡତା କୌଣସି ଦଳର ରାଜନୈତିକ ସ୍ବାର୍ଥଠାରୁ ବଡ଼। ଏବେ ଆବଶ୍ୟକ ଆଶ୍ୱାସନ ନୁହେଁ, ଦୃଢ଼ ନିଷ୍ପତ୍ତି; ବିବୃତି ନୁହେଁ, ଫଳପ୍ରଦ କାର୍ଯ୍ୟାନୁଷ୍ଠାନ। କୋଟିଆର ସମାଧାନ ଯେତେ ବିଳମ୍ବ ହେବ, ଓଡ଼ିଶାର ସୀମା ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସେତେ ବଢ଼ିବ।

ଅଖିଳ ତରାଇ
ଗଞ୍ଜାମ, ମୋ: ୭୭୮୭୦୦୧୦୦୧

Dharitri – Odisha’s No.1 Odia Daily