ବିସ୍ଥାପିତ ପାଇଥିବା ଜାଗାକୁ ନେଇ କେଁ

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନେ ନିଜ ଭିଟାମାଟି ଛାଡ଼ିଦେଲେ। ଏହାପରେ ଘର କରିବା ନିମନ୍ତେ କେତେଜଣ ବିସ୍ଥାପିତ ସରକାରଙ୍କ ପକ୍ଷରୁ ଜାଗା ପାଇଲେ। ତେବେ ସମ୍ପୃକ୍ତ ଜାଗାକୁ ନେଇ ଉଠିଛି କେଁ। ଏହା ବିବାଦୀୟ ଜାଗା ବୋଲି ବାସେଳିସାହି ମୌଜାର କେତେକ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି।
ଶ୍ରୀମନ୍ଦିର ଐତିହ୍ୟ କରିଡର ଲାଗି ମେଘନାଦ ପାଚେରୀ କଡ଼ରୁ ୭୫ ମିଟର ମଧ୍ୟରେ ଥିବା ୫ଟି ମୌଜାର ଲୋକେ ସରକାରଙ୍କୁ ଜମି ବିକ୍ରି କରିଥିଲେ। ପୁନର୍ବାସ ଓ ଥଇଥାନ ଯୋଜନା ଅନୁଯାୟୀ ସରକାର ବାସେଳି ସାହିର ୭ ବିସ୍ଥାପିତ ପରିବାରକୁ ଲୋକନାଥ ରୋଡ୍‌ ମଙ୍ଗଳାଘାଟ ମୌଜାରେ ୧୦୦୦ ବର୍ଗଫୁଟ ଲେଖାଏ ଜମି ଦେଇଥିଲେ। ସେମାନଙ୍କ ନଁାରେ ବିକ୍ରି କବଲା ଏବଂ ପଟା ବି କରାଯାଇଛି। ହେଲେ ତାହା ଏକ ବିବାଦୀୟ ଜାଗା ବୋଲି ଶୁକ୍ରବାର ଏହି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଜଣେ ବ୍ୟକ୍ତି ସେହି ଜାଗାକୁ ନିଜର ବୋଲି ଦାବି କରିବା ସହ ଘର କରିବାକୁ ମନା କରୁଛନ୍ତି। ତେଣୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ଐତିହ୍ୟ କରିଡ଼ର ଲାଗି ଅଧିଗୃହୀତ ଅଞ୍ଚଳରେ ଥିବା ବାସଗୃହ ପାଇଁ ପୁନର୍ବାସ ଓ ଥଇଥାନ ଯୋଜନାରେ ୩ଟି ଇଚ୍ଛାଧୀନ ସହାୟତା ବ୍ୟବସ୍ଥା ରହିଥିଲା। ଏଥିମଧ୍ୟରେ ଏକାକାଳୀନ ୩୦ଲକ୍ଷ ଟଙ୍କା ସହାୟତା, ଶ୍ରୀମନ୍ଦିରର ଦେଢ କିଲୋମିଟର ମଧ୍ୟରେ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟର ଘର କିମ୍ବା ମନ୍ଦିରର ୨ କିମି ଭିତରେ ୧୦୦୦ ବର୍ଗଫୁଟର ଜାଗା ଦେବାକୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ବାସେଳିସାହିର ୭ ପରିବାର ଶ୍ରୀମନ୍ଦିରର ୨ କିମି ଭିତରେ ଜାଗା ନେବାକୁ ରାଜି ହୋଇଥିଲେ। ପ୍ରଶାସନ ମଧ୍ୟ ସେମାନଙ୍କୁ ଜାଗା ଦେଇଥିଲା। ଜମି ପାଇଥିବା ପରିବାରଙ୍କ ଉପସ୍ଥିତିରେ ଗତ ଅଗଷ୍ଟ ୨୬ରେ ଭୂମି ପୂଜା ହୋଇଥିଲା।
ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସେମାନଙ୍କ ନଁାରେ ଜମି ରେକର୍ଡ କରାଯାଇଛି। ଯଦି କିଛି ଅସୁବିଧା ହେଉଛି ତେବେ ପ୍ରଶାସନ ଏବଂ ପୋଲିସକୁ ଜଣାଇବା ଉଚିତ ହେବ।