ନ୍ୟାୟପାଳିକା ନିର୍ଦ୍ଦେଶକୁ ନ ମାନିଲେ

ଅକ୍ଷୟ କୁମାର ମିଶ୍ର

ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକା ହେଉଛି ତୃତୀୟ ସ୍ତମ୍ଭ; ମାତ୍ର ସବୁଠାରୁ ନିର୍ଭରଯୋଗ୍ୟ ସ୍ତମ୍ଭ। ପ୍ରଥମ ଦୁଇଟି ଅନୁଷ୍ଠାନ ଯଥା- ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଯେତେବେଳେ ମଣିଷକୁ ସାମ୍ବିଧାନିକ ନ୍ୟାୟ ଦେଇପାରେ ନାହିଁ ସେତେବେଳେ ସେ ନ୍ୟାୟାଳୟର ଆଶ୍ରୟ ନିଏ। ନ୍ୟାୟପାଳିକାର ନିର୍ଦ୍ଦେଶକୁ ବ୍ୟବସ୍ଥାପିକା ସମ୍ମାନ ଦେବା ଏବଂ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରିବା ସୁସ୍ଥ ଗଣତନ୍ତ୍ରର ପରିଚାୟକ। ଏହାର ସାମାନ୍ୟତମ ବ୍ୟତିକ୍ରମ ଗଣତନ୍ତ୍ରକୁ ଦୁର୍ବଳ କରିଦିଏ। ହେଲେ ସମ୍ପ୍ରତି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ହାତ ଛନ୍ଦାଛନ୍ଦି ହୋଇ ବାଟ ଚାଲୁଛନ୍ତି ନ୍ୟାୟପାଳିକାର ନିର୍ଦ୍ଦେଶକୁ ବାଟବଣା କରିବା ପାଇଁ। ଫଳରେ ବର୍ଷ ବର୍ଷ ଧରି ନିଜର ଅଧିକାର ପାଇବା ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବା ଲୋକମାନେ ସେଇଠି ଘାଣ୍ଟି ଚକଟି ହୁଅନ୍ତି। ଏହି ଦୀର୍ଘ ଲଢ଼େଇ ଭିତରେ ଏମିତି ବି ଘଟେ ନିଜ ଜୀବଦ୍ଦଶାରେ ବହୁ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହୁଅନ୍ତି। କେସ୍‌ ଦରଜ ହେବାର ଜଟିଳ ପ୍ରକ୍ରିୟା, ରାୟ ଶୁଣାଣି ହେବା ପୂର୍ବରୁ ଆଇନରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ବିଚାରପତିଙ୍କ ଅଭାବ ଯୋଗୁ ଗୋଟିଏ ମକଦ୍ଦମା ଦୀର୍ଘ ବର୍ଷ ଧରି ଚାଲେ। ଫଳରେ ହଜାର ହଜାର କେସ୍‌ ଫଇସଲା ନ ହୋଇ ପଡ଼ିରହୁଛି। ତଳକୋର୍ଟ ଯାହା ନିର୍ଦ୍ଦେଶ ଦେଉଛନ୍ତି ସରକାର ତାକୁ ଆଦୌ ଗ୍ରହଣ କରୁନାହାନ୍ତି। ଉଚ୍ଚ ନ୍ୟାୟାଳୟକୁ ଯାଉଛନ୍ତି। ସେଠାରେ ବିଫଳ ହେଲେ ଡିଭିଜନ ବେଞ୍ଚ, ସେଠାରୁ ସର୍ବୋଚ୍ଚ ନ୍ୟାୟାଳୟକୁ ଯାଉଛନ୍ତି। ଏମିତି ପାହାଚ ପରେ ପାହାଚ ଚଢ଼ି ଅନ୍ତିମ ଲକ୍ଷ୍ୟରେ ଉପନୀତ ହେବା ସାଧାରଣ ଲୋକଟି ପାଇଁ କେତେ କଷ୍ଟକର ତାହା ସମସ୍ତେ ଜାଣନ୍ତି। ସୁପ୍ରିମକୋର୍ଟରେ ଗୋଟିଏ କେସ୍‌କୁ ଚଳାଇ ରଖିବା ଅତ୍ୟନ୍ତ ଖର୍ଚ୍ଚ ବହୁଳ। ସରକାରଙ୍କ ପାଇଁ ହୁଏତ ଏହା ବଡ଼କଥା ହୋଇ ନ ପାରେ। କିନ୍ତୁ ଯେଉଁ ଅର୍ଥ ଅଯଥାରେ ବ୍ୟୟ ହୁଏ ତାହା ସାଧାରଣ ଜନତାଙ୍କ ଟିକସ ପଇସା। ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ପାଇଁ ସେମାନେ ଦେଇଥିବା ଟିକସ ଅର୍ଥକୁ ବ୍ୟୟ କରିବା ଗୋଟିଏ ଜନମଙ୍ଗଳ ରାଷ୍ଟ୍ର ଚରିତ୍ରର ପରିପନ୍ଥୀ।
ଯଦିଓ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ଏହି ରାସ୍ତା ଧରିଛନ୍ତି, କିନ୍ତୁ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହା କଡ଼ାକଡ଼ି ଲାଗୁ କରିଛନ୍ତି। କିଛି ଲୋକ ଆଶ୍ଚର୍ଯ୍ୟପ୍ରକଟ କରି କହିପାରନ୍ତି ସରକାରୀ କର୍ମଚାରୀ ହେଉଛନ୍ତି କାର୍ଯ୍ୟପାଳିକାର ଏକ ଅଂଶ। ଏମାନଙ୍କ କ୍ଷେତ୍ରରେ ସରକାର ସହାନୁଭୂତିଶୀଳ ନ ହୋଇ ଏମିତି କେମିତି କରୁଛନ୍ତି ? ସାଧାରଣତଃ ଏହି ନିଷ୍ପତ୍ତି ଉପର ସ୍ତରରେ ହୁଏ। ଫଳରେ ତଳସ୍ତରର କର୍ମଚାରୀମାନେ ହନ୍ତସନ୍ତ ହୁଅନ୍ତି। ବିଶେଷକରି ଶିକ୍ଷା ବିଭାଗରେ ଏହା ଅଧିକ। ଅନୁଦାନ, ପଦୋନ୍ନତି, ପିଛିଲା ଦରମା, ପେନ୍‌ସନ୍‌, ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ସୁଯୋଗ ଇତ୍ୟାଦି ଅଧିକାରକୁ ହାସଲ କରିବା ପାଇଁ ଏହି ବିଭାଗର କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଚାରାଳୟକୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ଜଣେ ଅଭିଜ୍ଞ ତଥା ଅନୁଭବୀ ଶିକ୍ଷକଙ୍କଠାରୁ ପ୍ରକାଶ ସରକାର ଯେଉଁ ନିୟମ ନିଜେ ଗଢ଼ିଛନ୍ତି ସେଗୁଡ଼ିକୁ ନିଜେ ଭାଙ୍ଗୁଛନ୍ତି। ଫାଇଲ ଚାଷ ହେଉଛି। ବାରମ୍ବାର ଅଫିସକୁ ଧାଇଁବାକୁ ପଡ଼ୁଛି। ବାଧ୍ୟହୋଇ ରାଜରାସ୍ତାକୁ ଆସି ପ୍ରତିବାଦ କରିବାକୁ ପଡ଼ୁଛି। ତା’ପରେ ବି ଯେତେବେଳେ ହେଉ ନାହିଁ ନ୍ୟାୟାଳୟ ବ୍ୟତୀତ ତା’ପାଖରେ ଆଉ କିଛି ରାସ୍ତା ହିଁ ନାହିଁ। ଆଇନ ତା’ ସପକ୍ଷରେ ଗଲା ପରେ ବି ସରକାର ମାନୁ ନାହାନ୍ତି। ଅନେକ ଉଦାହରଣ ଥିଲେ ମଧ୍ୟ ସବୁ ବିଷୟକୁ ଏଠାରେ ଉପସ୍ଥାପନ କରିବା ସମ୍ଭବ ନୁହେଁ।
ଜଣେ ସରକାରୀ କର୍ମଚାରୀ ପାଇଁ ପେନ୍‌ସନ୍‌ ହେଉଛି ବାର୍ଦ୍ଧକ୍ୟ ବୟସର ସାହାରା। ଏହା କାହାର ଦୟା କିମ୍ବା ଅନୁକମ୍ପା ନୁହେଁ। ଏହା ତା’ର ଅଧିକାର। ତିରିଶ ବର୍ଷ ଅଥବା ତା’ଠାରୁ ଅଧିକ ସମୟ ଧରି ଦେଶ କିମ୍ବା ରାଜ୍ୟ ପାଇଁ ସେବା କରି ଷାଠିଏ ବର୍ଷ ବୟସରେ ଅବସର ଗ୍ରହଣ କଲା ପରେ ଯଦି ତା’ପାଇଁ ପେନସନ୍‌ର ବ୍ୟବସ୍ଥା ନ ରହେ ତେବେ ଜୀବନର ଅବଶିଷ୍ଟ ସମୟ ଦୁଃଖ ଯନ୍ତ୍ରଣାରେ ଯେ ଭରି ଉଠିବ ଏଥିରେ ସନ୍ଦେହ ନାହିଁ। ବ୍ୟବସ୍ଥାପିକା ସଭାର ସଦସ୍ୟ ଓ ସଦସ୍ୟାଗଣ ମାତ୍ର ପାଞ୍ଚ ବର୍ଷ ନିମନ୍ତେ ଦେଶର ସେବା କରିବାକୁ ଆସି ନିଜ ପାଇଁ ପେନସନ୍‌ ପାଇବାର ପକ୍କା ବ୍ୟବସ୍ଥା କରିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଥିବା ପେନ୍‌ସନ୍‌ ନିୟମକୁ ଉଚ୍ଛେଦ କରିବା ପରିତାପର ବିଷୟ। ୨୦୦୪ରେ କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥାକୁ ଉଠାଇ ଜାତୀୟ ପେନ୍‌ସନ୍‌ ସ୍କିମ୍‌ ପ୍ରଚଳନ କଲେ। ଆମ ରାଜ୍ୟ ସରକାର ମଧ୍ୟ କାଳବିଳମ୍ବ ନ କରି ଏହି ପଥର ଅନୁଗାମୀ ହେଲେ। କର୍ମଚାରୀଙ୍କ କହିବା କଥା ହେଲା ଏହି ସ୍କିମ୍‌ ଅନୁଯାୟୀ ଯାହା ପେନ୍‌ସନ୍‌ ମିଳିବ ତାହା ଏତେ ନଗଣ୍ୟ ଯେ ବାର୍ଦ୍ଧକ୍ୟ ଅବସ୍ଥାରେ ଔଷଧ ଖର୍ଚ୍ଚ ପାଇଁ ମଧ୍ୟ ଏହା ନିଅଣ୍ଟ ହେବ। ସମଗ୍ର ଦେଶରେ ଏହା ବିରୋଧରେ ଆନ୍ଦୋଳନ ଚାଲିଛି। କିନ୍ତୁ ଆମ ରାଜ୍ୟରେ ଏହା ବ୍ୟତୀତ ଆଉ ଏକ ଅଭାବନୀୟ ଦୁଃଖଦାୟକ ଦୃଶ୍ୟ ଦେଖିବାକୁ ମିଳୁଛି , ଯେଉଁ ଦୃଶ୍ୟ ବୋଧହୁଏ ଅନ୍ୟ କେଉଁଠି ଦୃଶ୍ୟମାନ ନୁହେଁ। ସରକାରୀ ନିୟମରେ ନିଯୁକ୍ତି, ସରକାରୀ ନିୟମ ଅନୁସାରେ ଦାୟିତ୍ୱ ନିର୍ବାହ, ସରକାରୀ ନିୟମ ଅନୁସାରେ ଅବସର ଗ୍ରହଣ, ମାତ୍ର ସରକାରୀ ନିୟମରେ ଥିବା ଅବସରକାଳୀନ ସୁବିଧାରୁ ବଞ୍ଚିତ। ବାର୍ଦ୍ଧକ୍ୟ ଯୋଗୁ ଉଭୟ ଶାରୀରିକ ଓ ମାନସିକ ଭାବେ ଅସମର୍ଥ ଘୋଷଣା କରି ଯେତେବେଳେ ସେବା ନିବୃତ୍ତ କରାଯାଉଛି ସେତେବେଳେ ପେନସନ୍‌ ବ୍ୟତିରେକେ ସେ ବଞ୍ଚିବ କେମିତି ତାହା ନଭାବିବା ହଡ଼ା ବଳଦକୁ କଂସେଇ ହାତକୁ ଟେକିଦେବା ସହିତ ସମାନ। ଶିକ୍ଷକତା ଭଳି ସମ୍ମାନଜନକ ବୃତ୍ତିକୁ ଆପଣେଇ ନେଇ ଏକଦା ଗର୍ବ ଅନୁଭବ କରୁଥିବା ଶିକ୍ଷକ ଅଧ୍ୟାପକଙ୍କ ଏ ହେଉଛି ଦୟନୀୟ ଆତ୍ମକାହାଣୀ।
୨୦୦୪ରେ ବ୍ଲକ୍‌ ଗ୍ରାଣ୍ଟ ଭଳି ଏକ ଅଶୁଭ ଧୂମକେତୁ ଆମ ରାଜ୍ୟର ଶିକ୍ଷା ଆକାଶରେ ଆବିର୍ଭାବ ଫଳରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ଏକ ବୃହତ୍‌ ଅଂଶର ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି ହେଲା। ପୁଣି କୌଣସି ପେନସନ୍‌ ସ୍କିମ୍‌ରେ ଅନ୍ତର୍ଭୁକ୍ତ ନ କରି ଶୂନ୍ୟ ପେନସନ୍‌ରେ ଏମାନଙ୍କୁ ବିଦାୟ ଦେବା କଟା ଘା’ରେ ଚୂନ ଲଗାଇବା ସଦୃଶ। ନିକଟରେ ଉଚ୍ଚ ନ୍ୟାୟାଳୟ ପୁଣି ଏକ ଐତିହାସିକ ରାୟ ଶୁଣାଇ କହିଛନ୍ତି ପେନସନ୍‌ ବାବଦରେ ୧୯୮୧ ରୁଲ୍‌ ଅନୁଯାୟୀ ୨୦୦୪ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ପୁରୁଣା ଏବଂ ୨୦୦୪ ପରେ ନିଯୁକ୍ତି ପାଇଥିଲେ ନୂତନ ପେନସନ୍‌ ଦେବାକୁ ସରକାର ବାଧ୍ୟ। କିନ୍ତୁ ବିଡ଼ମ୍ବନା ହେଉଛି ସରକାରଙ୍କ ତରଫରୁ କୁହାଗଲାଣି ‘ଏ ରାୟକୁ ଆମେ କ’ଣ ମାନିବୁ ?’ ଏଥିପାଇଁ ସରକାର ଉପର କୋର୍ଟକୁ ଯିବାକୁ ସଜବାଜ ହେଲେଣି। ସମସ୍ତ କଳ ବଳ କୌଶଳ ଖଟାଇ ହାଇକୋର୍ଟର ଏହି ରାୟ ବିରୋଧରେ ଲଢ଼ିବେ ବୋଲି ପ୍ରସ୍ତୁତ ହେଲେଣି।
କୌଣସି ରାୟ ବିରୋଧରେ ଉପର କୋର୍ଟକୁ ଯିବାର ଅଧିକାର ସରକାରଙ୍କର ନାହିଁ ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ସର୍ବୋଚ୍ଚ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଜଣକୁ ନ୍ୟାୟ ଦେଇସାରିବା ପରେ ଅନ୍ୟମାନଙ୍କୁ ଏଥିରୁ ବଞ୍ଚିତ କରିବା ପାଇଁ ବାରମ୍ବାର କୋର୍ଟକୁ ଯାଇ ନ୍ୟାୟ ପ୍ରଦାନରେ ବିଳମ୍ବ କରିବାର ମସୁଧା କରିବା ଏକ ନୈତିକ କାର୍ଯ୍ୟ ନୁହେଁ ବୋଲି ସମସ୍ତେ କହିବେ। ପୁନଶ୍ଚ ସର୍ବୋଚ୍ଚ ନ୍ୟାୟାଳୟରେ ହାରିବା ପରେ ସେହି ରାୟକୁ ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରୟୋଗ ନ କରିବା ଏକ ସାମ୍ବିଧାନିକ ଅନ୍ୟାୟ। ପେନସନ୍‌ ଦେବା କ୍ଷେତ୍ରରେ ସରକାର ସହାନୁଭୂତିଶୀଳ ହେବା ଦରକାର। ନ୍ୟାୟପାଳିକାର ନିର୍ଦ୍ଦେଶକୁ ସମ୍ମାନ ଦେବା ଉଚିତ। ଏଥିସହିତ ନୂତନ ପେନସନ୍‌ ସ୍କିମ୍‌ ଉପରେ ପୁନର୍ବିଚାର କରିବା ଆବଶ୍ୟକ। ବୟସର ଅପରାହ୍ନରେ ଅର୍ଥାଭାବ ଯୋଗୁ ଯଦି ଜଣେ ଚିକିତ୍ସିତ ହୋଇ ନ ପାରିଲା, ଖାଦ୍ୟ, ବସ୍ତ୍ର, ଔଷଧ ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଲା ତେବେ ସେ ନିଜକୁ ଅସହାୟ ମଣିବ। ଅବସର ନେବା ପରେ ବୃଦ୍ଧାଶ୍ରମ ହୁଏତ ତା’ପାଇଁ ଶେଷ ଠିକଣା ପାଲଟିଯିବ।
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଆମ ଭୁଲ୍‌

ମମାନଙ୍କର ଏକ ଅତି ସାଧାରଣ ପ୍ରକୃତି ହେଉଛି ଏୟା ଯେ କୌଣସି ଭୁଲ୍‌ କରିଛୁ ବୋଲି ଆମେ ସ୍ବୀକାର କରିବାକୁ ରାଜି ନ ଥାଉ। ଆମ...

ପ୍ରହେଳିକା

ଜନ୍ମରୁ ମୃତ୍ୟୁ ଯାଏ କେବଳ ଆଲୋକ ଆଉ ଅନ୍ଧକାରର ଖେଳ। ଏଇ ଆଲୁଅ ଅନ୍ଧାରର ପ୍ରହେଳିକାମୟ ଲୁଚକାଳି ଖେଳ ଭିତରେ ମଣିଷ ଖୋଜି ଚାଲିଛି ଚିରନ୍ତନ...

ଏଇ ଭାରତରେ

ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍‌ମି ଏବଂ ଅବଦୁଲ ହଡି...

ଇଣ୍ଟରନେଟ୍‌ ପାଠ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ...

ଏଇ ଭାରତରେ

ଆମ ଦେଶରେ କୃଷି ଉପତ୍ାଦ ଓ ବଜାର ମଧ୍ୟରେ ମଧ୍ୟସ୍ଥିଙ୍କ ଉପସ୍ଥିତି ଯୋଗୁ ଚାଷୀ କମ୍‌ ଲାଭ ପାଉଛନ୍ତି। ଏଭଳି ସମସ୍ୟାକୁ ଦୂର କରି ଭଲ...

ଗ୍ୟାରେଣ୍ଟିର ଗ୍ୟାରେଣ୍ଟି

ଗଣେଶ୍ୱର ନାୟକ ଆମେ ଯେକୌଣସି ପଣ୍ୟ ବଜାରରୁ କିଣିଥାଉ, ତାହା ଯଦି ଗୁଣବତ୍ତାରେ କିଛି ନୂ୍ୟନ ହୁଏ, ତେବେ ଆମେ ଅଭିଯୋଗ କରିବାକୁ ବହୁ ବ୍ୟବସ୍ଥା...

ଜୀବନରେ ବର୍ଣ୍ଣର ଭୂମିକା

ଧ୍ରୁବ ଚରଣ ଘିବେଲା ଜୀବନରେ ବର୍ଣ୍ଣର ଭୂମିକା ଥାଏ ଅନେକ। ପୁଣି ତାହା ଥାଏ ବିବିଧ ଆକାରରେ ଓ ପ୍ରକାରରେ। ଜୀବନ ମହାର୍ଘ। ଜୀବନ ମୂଲ୍ୟବାନ୍‌।...

ଦୁଇଟି ଯୁଦ୍ଧ

କୋଭିଡ୍‌ ମହାମାରୀକୁ ମୁକାବିଲା କରି ପୃଥିବୀ ଆର୍ଥିକ ଓ ସାମାଜିକ ସ୍ଥିରତା ଚାହୁଁଥିବା ବେଳେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri