କିସ୍‌ ଢାଞ୍ଚାରେ ବାଂଲାଦେଶରେ ଖୋଲିଲା ‘ଡିସ୍‌’

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ‘କିସ୍‌’ ଢାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌(ଡିସ୍‌)। ଢାକାଠାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦ୍‌ଘାଟନ କରିଛନ୍ତି। ଡାଫୋଡିଲ୍‌ ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟି ହେଉଛି ବାଂଲାଦେଶର ସର୍ବବୃହତ ବିଶ୍ୱବିଦ୍ୟାଳୟ। ଅଚ୍ୟୁତ ସାମନ୍ତଙ୍କ ସହ ଏହି ବିଶ୍ୱବିଦ୍ୟାଳୟର ଦୀର୍ଘ ଦିନର ସୁସମ୍ପର୍କ ରହିଆସିଛି। କିଛିବର୍ଷ ତଳେ ଡାଫୋଡିଲ୍‌ ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଡ. ମହମ୍ମଦ ସବୁର ଖାଁ କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ସେ କିସ୍‌ର ଶିକ୍ଷାଦାନ, ସୁବିଧା ସୁଯୋଗ ଓ ପରିସରକୁ ଦେଖି ବିମୋହିତ ହୋଇପଡ଼ିଥିଲେ। ବାଂଲାଦେଶରେ କିସ୍‌ ଢାଞ୍ଚାରେ ଗରିବ ପିଲାଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ଡ. ସବୁର ଖାଁ ଇଚ୍ଛା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଜଣାଇବା ପରେ ଅଚ୍ୟୁତ ସାମନ୍ତ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୋମବାର ଢାକାଠାରେ ‘ଡିସ୍‌’କୁ ସାମନ୍ତ ଉଦ୍‌ଘାଟନ କରି ବେଶ୍‌ ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କିସ୍‌ କାର୍ଯ୍ୟରେ ପ୍ରଭାବିତ ହୋଇ ବାଂଲାଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାମାଜିକ ଉଦ୍ୟୋଗୀ ଢାକାଠାରେ କିସ୍‌ ଢାଞ୍ଚାରେ ଏକ ଅନୁଷ୍ଠାନ ଖୋଲି ପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୬୦୦ ଗରିବ ଛାତ୍ରୀଛାତ୍ର ବିନାଦେୟରେ ପାଠ ପଢ଼ିବେ। ‘ଡିସ୍‌’ ପାଇଁ ‘କିସ୍‌’ କେବଳ ଆବଶ୍ୟକ ବୈଷୟିକ ପରାମର୍ଶ ପ୍ରଦାନ କରିଛି। ଏହା ବ୍ୟତୀତ କିସ୍‌କୁ ଅନ୍ୟ କୌଣସି ଦାୟିତ୍ୱ ବହନ କରିବା ପାଇଁ ପଡ଼ିବ ନାହିଁ। ଏହି ଉଦ୍‌ଘାଟନୀ ଉତ୍ସବରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ପଦାଧିକାରୀମାନେ ଯୋଗ ଦେଇଥିଲେ।