‘ବନ୍ୟା ପରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା’

ଭୁବନେଶ୍ୱର, ୨୫।୮ (ବ୍ୟୁରୋ): ରାଜ୍ୟରେ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି, ବନ୍ୟା ପରେ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସଚେତନ ଅଛି। ଏବେ ୪୭ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ଚାଲୁଛି ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ୩ଶହରୁ ଊର୍ଦ୍ଧ୍ୱ ମେଡିକାଲ ରିଲିଫ ସେଣ୍ଟରରେ ଚିକିତ୍ସା ସୁବିଧା ମିଳୁଛି। ୧୨୦ଟି ମୋବାଇଲ ମେଡିକାଲ ଟିମ୍‌ କାମ କରୁଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୭ ହଜାର ୫୦୦ ରୋଗୀଙ୍କର ମୋବାଇଲ କ୍ୟାମ୍ପ ଟିମ ଦ୍ୱାରା ଚିକିତ୍ସା କରାଯାଉଛି। ଏଥିସହ ୧୦ଲକ୍ଷ ହାଲୋଜେନ ବଟିକା ବଣ୍ଟାଯିବା ସହିତ ୨ଲକ୍ଷରୁ ଅଧିକ ଓଆରଏସ୍‌ ବଣ୍ଟା ଯାଇଥିବା ନେଇ ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କିଛି ଡାଇରିଆ କେସ୍‌ ନଜରକୁ ଆସିଥିଲେ ବି ହଇଜା ହୋଇ ନଥିବା ସେ କହିଛନ୍ତି। ସେହିପରି ୮୮ଟି ସାପ କାମୁଡା ରିପୋର୍ଟ ଆସିଛି। ତେବେ ଏଥିରେ କାହାର ମୃତ୍ୟୁ ହୋଇନାହିଁ। ଏଥିସହ ପାଣିକୁ ଭଲ ଭାବରେ ଫୁଟାଇବା, ହାଲୋଜିନ ଔଷଧ ପକାଇକି ପିଇବା ଆବଶ୍ୟକ। ଖାଦ୍ୟରେ ମାଛି ଯେଭଳି ନ ବସିବେ, ବାସିଖାଦ୍ୟ ନ ଖାଇବା ନେଇ ସଚେତନ ରହିବା ଆବଶ୍ୟକ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।