ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସେହିପରି ଢେଙ୍କାନାଳ ଏମ୍‌ପି ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ତଥା ଜିଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷା ସୀମାରାଣୀ ନାୟକ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ନିଜର ବହୁ ସମର୍ଥକଙ୍କ ସହ ଯୋଗଦେଇଥିଲେ। ଜିଲା ଭାଜପା ସଭାପତି ରାସବିହାରୀ ବେହେରା ଓ ଜିଲା ପ୍ରଭାରୀ ସ୍ମୃତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ହେଲେ ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଅପରାହ୍ନ ୩ଟାରେ ମନ୍ତ୍ରୀ ପାତ୍ର ଢେଙ୍କାନାଳଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଅନ୍ୟ ବିଧାୟକମାନଙ୍କ ସହ ଯୋଗଦେଇଥିବା ବେଳେ ଦଳର ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଉପସ୍ଥିତ ଥିବା ବେଳେ ମନ୍ତ୍ରୀଙ୍କ ବଡ଼ଭାଇ ତଥା ଭାଜପାର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ଧର୍ମେନ୍ଦ୍ର ଓ କୃଷ୍ଣ ପାତ୍ରଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ଢେଙ୍କାନାଳ ନିର୍ବାଚନମଣ୍ଡଳୀର ବହୁ ପଦାଧିକାରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ କର୍ମୀଙ୍କ ମହଲରେ ଶୁଣିବାକୁ ମିଳୁଛି। ମନ୍ତ୍ରୀଙ୍କ ପ୍ରମୁଖ ସମର୍ଥକମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବା ଜଣାପଡିଛି।
ଅନ୍ୟପକ୍ଷରେ ଦୁଇଭାଇ ରାମଚନ୍ଦ୍ର ପାତ୍ର ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ମଧ୍ୟ ଚର୍ଚ୍ଚା ହେଉଛି ା ନିକଟରେ ମିଳିତବଜାର ଲକ୍ଷ୍ମୀପୂଜା କମିଟିର ୭୫ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ଏମ୍‌ପିଙ୍କ ସମେତ ଜିଲାର ୩ ବିଧାୟକ ଉପସ୍ଥିତ ଥିଲେ ମଧ୍ୟ ଉକ୍ତଦିନ ସନ୍ଧ୍ୟାରେ ମନ୍ତ୍ରୀ ପୂଜା ଉତ୍ସବ ବୁଲୁଥିବା ସତ୍ତ୍ୱେ କାର୍ଯ୍ୟକ୍ରମକୁ ଆସି ନ ଥିଲେ। ପୌରାଞ୍ଚଳର ମହିଷାପାଟ ଅଞ୍ଚଳରେ ଥିବା ଏକ ସ୍ମାର୍ଟ ପାର୍କକୁ ନେଇ ମନ୍ତ୍ରୀ, ପୌରାଧ୍ୟକ୍ଷା ଓ ମନ୍ତ୍ରୀଙ୍କ ଭାଇଙ୍କ ମଧ୍ୟରେ ମନାନ୍ତର ବଢୁଥିବା ଜଣାପଡିଛି। ମନ୍ତ୍ରୀ ପାର୍କ ସପକ୍ଷରେ ନ ଥିବା ବେଳେ ପୌରାଧ୍ୟକ୍ଷା ସ୍ମାର୍ଟ ପାର୍କ ସପକ୍ଷରେ ଥିବା ଜଣାପଡିଛି। ସେହିପରି ପୂର୍ବତନ ବିଧାୟକ ନବୀନ ନନ୍ଦ ଭାଜପାରେ ଥିଲେ ମଧ୍ୟ ତାଙ୍କୁ ସଙ୍ଗଠନରେ ଅଣଦେଖା କରାଯାଉଥିବା ତାଙ୍କର ସମର୍ଥକମାନେ କହୁଛନ୍ତି। ଏପରିକି ଦଳର କେତେଜଣ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ଅନେକ ସମୟରେ ଆକ୍ଷେପ କରୁଥିବା ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଦେଖାଯାଇଛି। ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଜିଲା ଭାଜପା ସଭାପତି ରାସବିହାରୀ ବେହେରା, ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବେ ବୋଧେ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ମନ୍ତ୍ରୀ ପାତ୍ରଙ୍କୁ ଖବରଦାତାମାନେ ପଚାରିବାରୁ, ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଥିଲା ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 

Share