ସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୨୧ା୯(ଅମିତାଭ ବେହେରା: କୋରାପୁଟ ଜ଼ିଲା ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ଅବସରରେ ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପ ଚନ୍ଦ୍ରୟାନ-୩ ଆକାରରେ ନିର୍ମିତ ହୋଇଛି। ଗ୍ଲାସ ହାଉସ ମାଲିକ ବୁଲୁ ମହାରଣାଙ୍କ ପ୍ରଚେଷ୍ଟାରେ ହୋଇଥିବା ଏହି ମେଢ଼ ଚନ୍ଦ୍ର ଉପରେ ବିଶ୍ୱକର୍ମା ମୂର୍ତ୍ତି ବସିବା ଓ ତାଙ୍କ ଚାରି ପଟେ ଲେଣ୍ଡର ବୁଲିବା ଦେଖିବାକୁ ଅଞ୍ଚଳବାସୀଙ୍କ ଭିଡ ଜମୁଛି। ବୁଲୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଅଧାରୁ ପାଠ ଛାଡି ନିଜର କୌଳିକ ବୃତ୍ତି କାଠ କାମକୁ ଆଦରି ନେଇଛନ୍ତି l ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ନିଜ ମହାରଣା ଗ୍ଲାସ ହାଉସରେ ସେ ନିଆରା ଭାବେ ପୂଜା କରିଥାନ୍ତି l ତାଙ୍କ ଭାଇ ସଞ୍ଜୟ ଏବଂ ଅନ୍ୟ ୧୫ ଜଣ ଶିଳ୍ପୀ ମିଶି ଚନ୍ଦ୍ରୟାନ-୩କୁ ତିଆରି କରିଥିଲେ l ଏଥିପାଇଁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବୁଲୁ କହିଛନ୍ତି l ପ୍ରତିବର୍ଷ ଦେଶର ଚର୍ଚ୍ଚିତ ଘଟଣା ଉପରେ ସେ ମେଢ଼ ପ୍ରସ୍ତୁତ କରିଥାନ୍ତି। ଗତବର୍ଷ ପୁଲଓ୍ବମା ଆକ୍ରମଣ ଆକାର ମେଢ଼ ଏବଂ ୨୦୨୧ରେ କରୋନା ସମସ୍ୟା ଉପରେ ମଧ୍ୟ ମେଢ଼ କରି ବୁଲୁ ଚର୍ଚ୍ଚାକୁ ଆସିଥିଲେ। ଚଳିତ ବର୍ଷ ଚନ୍ଦ୍ରୟାନ-୩ ସଫଳ ହୋଇଥିବା ଏବଂ ଦେଶ ପାଇଁ ଗର୍ବ ଅନୁଭବ କରି ସେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି l ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ତାଙ୍କର ଏଭଳି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିଶ୍ୱର ଅନେକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକଙ୍କ ଚିନ୍ତାଧାରା ସହ ମେଳ ଖାଉଛି ବୋଲି ଇଞ୍ଜିନିୟର ସୁନୀଲ ବିଶ୍ବାଳ କହିଛନ୍ତି l