୧ରେ ପରୀକ୍ଷା ପେ’ ଚର୍ଚ୍ଚା

ଢେଙ୍କାନାଳ ଅଫିସ୍‌, ୩୦।୩ – ପରୀକ୍ଷାର୍ଥୀଙ୍କ ମନରେ ଉତ୍ସାହ ଭରିବା, ଚାପ ହ୍ରାସ କରିବା ଲାଗି ଆସନ୍ତା ଏପ୍ରିଲ ପହିଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ର ୫ମ ସଂସ୍କରଣ ଅନୁଷ୍ଠିତ ହେବ। ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ଅଭିଭାଷଣ ଦେବେ। ଏଥିଲାଗି ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଅଂଶଗ୍ରହଣ କରିବେ। କୋଭିଡ୍‌ ମହାମାରୀ ସମୟରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଚାପରୁ ମୁକ୍ତି ଦେବାକୁ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ଡିସେମ୍ବର ୨୮ରୁ ଫେବୃୟାରୀ ୩ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହିତ ସ୍ବତନ୍ତ୍ର ପରୀକ୍ଷା କିଟ୍‌ ପ୍ରଦାନ କରାଯିବ। ଏହି ଅବସରରେ ପ୍ରିନି୍ସପାଲ୍‌ ମଲ୍ଲିକ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାର୍ତ୍ତାପାଠ କରିଥିଲେ। ଖବରଦାତା ସମ୍ମିଳନୀରେ ଶିକ୍ଷକ ରତ୍ନାକର ପ୍ରଧାନ, ରଶ୍ମିରଞ୍ଜନ ରାଉତ, ପୁସ୍ତକାଳୟ ଅଧ୍ୟକ୍ଷ ଶୁଭେନ୍ଦୁ ମହାପାତ୍ର, ହିନ୍ଦୀ ଶକ୍ଷୟିତ୍ରୀ ଅନୁଜା ପଣ୍ଡା, ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।