ଭୋଟର ପରିଚୟପତ୍ର-ଆଧାର କାର୍ଡରେ ବୟସ ଦ୍ୱନ୍ଦ୍ୱ, ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

ରସୁଲପୁର, ୨୨ା୧୦(ରଞ୍ଜିତ ରାଉତ): ଭୋଟର ପରିଚୟପତ୍ର ଓ ଆଧାର କାର୍ଡରେ ଉଲ୍ଲେଖ ଥିବା ବୟସକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବାରୁ ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଶତାଧିକ ହିତାଧିକାରୀ ସାମାଜିକ ନିରାପତ୍ତା ଓ ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ନେଇ ଅଭିଯୋଗ ହେଉଛି। ସରକାରୀ ନିୟମ କାର୍ଯ୍ୟକାରୀ କରିବାରେ ଦୋ’ ମୁହାଁ ନୀତି ଆପଣା ଯାଉଥିବାରୁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପହଞ୍ଚୁଛି। ଜନପ୍ରତିନିଧିଙ୍କଠାରୁ ଆରମ୍ଭକରି ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ପାଇପାରୁ ନ ଥିବାରୁ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସରକାରୀ ସହାୟତା ପ୍ରଦାନ ଦିଗରେ ବୟସ ପ୍ରମାଣ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରମାଣପତ୍ରକୁ ଆଧାର କରିବାକୁ ସେମାନେ ଦାବି କରିଛନ୍ତି। ଭତ୍ତା ଆବେଦନ ପାଇଁ ଭୋଟର ପରିଚୟପତ୍ରର ବୟସକୁ ଆଧାର କରାଯାଉଥିବା ବେଳେ ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡର ବୟସକୁ ବିଚାରକୁ ନିଆଯିବା ଭଳି ନୀତିକୁ ସରକାର ବନ୍ଦ କରନ୍ତୁ ବୋଲି ସେମାନେ କହିଛନ୍ତି।
ସରକାରଙ୍କ ପକ୍ଷରୁ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ଓ ସୁଭଦ୍ରା ଯୋଜନା ଅନ୍ୟତମ। ଭତ୍ତା ପାଇଁ ସର୍ବନିମ୍ନ ବୟସସୀମା ୬୦ ବର୍ଷ ରଖାଯାଇଛି। ଯେଉଁ ଯୋଗ୍ୟ ଆବେଦନକାରୀଙ୍କ ବୟସ ଅନ୍‌ଲାଇନ ଭୋଟର ପରିଚୟପତ୍ରରେ ୬୦ ବର୍ଷ ହୋଇଥିବ ସେ ଭତ୍ତା ପାଇବାକୁ ଯୋଗ୍ୟ ହୋଇପାରିବେ। ଅନ୍ୟପକ୍ଷରେ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ସର୍ବୋଚ୍ଚ ବୟସସୀମା ୬୦ ବର୍ଷ ରଖାଯାଇଛି। ତେବେ ଏହି ଯୋଜନା ପାଇଁ ଆଧାରର ବୟସକୁ ସରକାରୀସ୍ତରରେ ବୟସ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଛି। ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ହିତାଧିକାରୀଙ୍କ ବୟସରେ ତାଳମେଳ ରହୁ ନ ଥିବାରୁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆଧାର କାର୍ଡକୁ କେବଳ ଏକ ପରିଚୟପତ୍ର ଭାବେ ଗ୍ରହଣ କରାଯିବାକୁ ବିଧି ରହିଛି। ତେବେ ଉକ୍ତ ପରିଚୟପତ୍ରରେ ଉଲ୍ଲେଖ ଥିବା ବୟସ ପ୍ରମାଣକୁ ସରକାରୀ ଯୋଜନାରେ ଗ୍ରହଣ କରାଯିବା ପଦକ୍ଷେପକୁ ସାଧାରଣରେ ନାପସନ୍ଦ କରାଯାଉଛି। ଆଧାରରେ ୬୦ ବର୍ଷ ହୋଇଯାଇଛି ବୋଲି ଦର୍ଶାଇ ଯେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ବୟସ ୬୦ ବର୍ଷ ହୋଇଛି ବୋଲି ସରକାରୀସ୍ତରରେ ଗ୍ରହଣ କରାଯାଉଛି। ଉକ୍ତ ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟଙ୍କୁ ତୁରନ୍ତ ଭତ୍ତା ଯୋଜନାରେ ସାମିଲ କରା ନ ଯାଇ ସେତେବେଳେ ଭୋଟର ପରିଚୟପତ୍ରର ବୟସକୁ କାହିଁକି ଆଧାର କରାଯାଉଛି ବୋଲି ଆବେଦନକାରୀମାନେ ଯୁକ୍ତି ରଖୁଛନ୍ତି। ଭୋଟର ପରିଚୟପତ୍ରରେ ବୟସ ହୋଇ ନ ଥିବା ଦର୍ଶାଇ ଭତ୍ତା ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଥିବା ବେଳେ ଆଧାର କାର୍ଡର ବୟସ ସୁଭଦ୍ରା ଯୋଜନାରୁ ବାଦ୍‌ କରିଦିଆଯିବା ପ୍ରୟାସରୁ ସରକାରୀ ଚାଲ୍‌ ସାଧାରଣରେ ଧରାପଡ଼ିଯାଇଛି। ସରକାରୀସ୍ତରରେ ଏଭଳି ଦୋ’ ମୁହାଁ ନୀତିକୁ ବନ୍ଦ କରାଯାଇ ବିଭିନ୍ନ ଯୋଜନା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ବୀକୃତିପ୍ରାପ୍ତ ପତ୍ରକୁ ବୟସ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯାଇ ହିତାଧିକାରୀମାନଙ୍କୁ ଯୋଜନାରୁ ବାଦ୍‌ ଓ ସଂଯୋଗ ଆଦି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ଏ ନେଇ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାଶଙ୍କୁ ପଚାରିବାରୁ ଆଧାର କାର୍ଡ ଏକ ପରିଚୟପତ୍ର ମାତ୍ର। ଭୋଟର ପରିଚୟପତ୍ରରେ ଉଲ୍ଲେଖ ଥିବା ବୟସକୁ ସରକାରୀ ଯୋଜନାରେ ବୟସ ପ୍ରମାଣ ଭାବରେ ଗ୍ରହଣ କରାଯାଉଛି। ଏହି କାର୍ଡ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରମାଣପତ୍ର ଆଧାରରେ ବୟସ ସମ୍ପର୍କରେ ତଥ୍ୟ ଦିଆଯାଇ କାର୍ଡ ପ୍ରସ୍ତୁତ ହୋଇଛି। ଏହି କାର୍ଡଟି ବୟସ ପ୍ରମାଣପତ୍ର ପାଇଁ ବିଧିସମ୍ମତ। ତେବେ ଭୋଟର ପରିଚୟପତ୍ରରେ ଥିବା ବୟସକୁ ସରକାରୀ ଯୋଜନାରେ ବୟସ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇଥାଏ। ତେବେ ସୁଭଦ୍ରା ଯୋଜନାରେ କେଉଁ ପରିସ୍ଥିତିରେ ଆଧାରକାର୍ଡ ବୟସକୁ ବୟସ ପ୍ରମାଣ ଭାବରେ ଗ୍ରହଣ କରାଯାଉଛି ସେ ସମ୍ପର୍କରେ କୌଣସି ମତାମତ ଦେଇପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Share