Categories: ଖେଳ

ବିପର୍ଯ୍ୟୟ: ପର୍ତ୍ତୁଗାଲକୁ ହରାଇ ନକ୍‌ ଆଉଟରେ ଦକ୍ଷିଣ କୋରିଆ

ଦୋହା, ୩।୧୨: କାତାରରେ ଚାଲିଥିବା ଫିଫା ବିଶ୍ୱକପରେ ଶୁକ୍ରବାର ଘଟିଛି ଆଉ ଏକ ବିପର୍ଯ୍ୟୟ। ବିଶ୍ୱର ୯ ନମ୍ବର ଦଳ ପର୍ତ୍ତୁଗାଲକୁ ୨-୧ ଗୋଲରେ ହରାଇ ଦେଇଛି ୨୮ ନମ୍ବର ଦକ୍ଷିଣ କୋରିଆ। ଏଥିସହ ଜାପାନ ପରେ ଦ୍ୱିତୀୟ ଏସୀୟ ଦଳଭାବେ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି କୋରିଆ। ଅନ୍ୟଏକ ମ୍ୟାଚରେ ଘାନାକୁ ୨-୦ ଗୋଲରେ ହରାଇଥିଲେ ହେଁ ଉରୁଗୁଏର ଅଭିଯାନ ଶେଷ ହୋଇଛି। ଗୋଲ ବ୍ୟବଧାନରେ ଆଗକୁ ବଢ଼ିଛି ଦକ୍ଷିଣ କୋରିଆ। ପୂର୍ବରୁ ନକ୍‌ଆଉଟରେ ପ୍ରବେଶ କରି ସାରିଥିବା ପର୍ତ୍ତୁଗାଲ କୋରିଆଠାରୁ ପରାଜିତ ହୋଇଥିଲେ ହେଁ ଗ୍ରୁପ୍‌ ‘ଏଚ୍‌’ରେ ଶୀର୍ଷସ୍ଥାନ ଅଧିକାର କରିଛି।
ବିପର୍ଯ୍ୟୟ ନଂ- ୭
ପର୍ତ୍ତୁଗାଲକୁ ଦକ୍ଷିଣ କୋରିଆ ହରାଇବା ଥିଲା ଚଳିତ ବିଶ୍ୱକପରେ ବିପର୍ଯ୍ୟୟ ନମ୍ବର ୭। ନଭେମ୍ବର ୨୨ରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା ସାଉଦି ଆରବ। ଏହାର ପରଦିନ ଅର୍ଥାତ୍‌ ୨୩ ତାରିଖରେ ଜର୍ମାନୀକୁ ହରାଇ ଦେଇଥିଲା ଜାପାନ। ୨୭ରେ ବେଲଜିୟମକୁ ହରାଇ ମରକ୍କୋ ବିସ୍ମୟ ସୃଷ୍ଟି କରିଥିବାବେଳେ ୩୦ରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସକୁ ହରାଇଥିଲା ଦୁର୍ବଳ ଟ୍ୟୁନିସିଆ ଏବଂ ବିଶ୍ୱର ୧୦ ନମ୍ବର ଦଳ ଡେନମାର୍କକୁ ହରାଇଥିଲା ୩୮ ର଼୍ୟାଙ୍କ୍‌ପ୍ରାପ୍ତ ଅଷ୍ଟ୍ରେଲିଆ। ଜାପାନ ବିପର୍ଯ୍ୟୟ ଧାରା ଅବ୍ୟାହତ ରଖି ଡିସେମ୍ବର ୧ରେ ପୂର୍ବତନ ଚାମ୍ପିୟନ ସ୍ପେନ୍‌କୁ ପରାସ୍ତ କରିଥିବାବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଦକ୍ଷିଣ କୋରିଆ।
ଏଜୁକେଶନ ସିଟି ଷ୍ଟାଡିୟମରେ ପର୍ତ୍ତୁଗାଲ-ଦକ୍ଷିଣ କୋରିଆ ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ପର୍ତ୍ତୁଗାଲ ୫ମ ମିନିଟରେ ରିକାର୍ଡୋ ହୋର୍ଟାଙ୍କ ଗୋଲ ବଳରେ ଅଗ୍ରଣୀ ନେଇଥିଲା। ମାତ୍ର ୨୭ତମ ମିନିଟରେ କୋରିଆର କିମ୍‌ ୟଙ୍ଗ-ଗୋନ ଗୋଲଟିକୁ ପରିଶୋଧ କରି ମ୍ୟାଚରେ ଉଷ୍ମତା ଭରିଥିଲେ। ମ୍ୟାଚଟି ଡ୍ର ଆଡ଼କୁ ଗତି କରୁଥିବାବେଳେ ଷ୍ଟପେଜ ଟାଇମ୍‌ ଅର୍ଥାତ୍‌ ୯୦+୧ ମିନିଟରେ ହ୍ବାଙ୍ଗ ହି-ଚାନ୍‌ ଏକ ଗୋଲ ଦେଇ କୋରିଆକୁ ବିଜୟ ପଥକୁ ନେଇ ଆସିଥିଲେ।
ସେହିପରି ଅଲ୍‌ ଜନୌବ ଷ୍ଟାଡିୟମରେ ଘାନା ବିପକ୍ଷରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଉରୁଗୁଏ। ଦଳ ପକ୍ଷରୁ ଜର୍ଜୁଆନ ଡି ଆରାସ୍କେଟା ୨୬ ଓ ୩୨ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ବିଜୟୀ ହୋଇଥିଲେ ହେଁ ବିଶ୍ୱକପରୁ ବିଦାୟ ଯୋଗୁ ଉରୁଗୁଏ ଖେଳାଳି ଖୁସି ମନାଇ ପାରି ନ ଥିଲେ।

Share