କଳା ପାଇଁ ବିପତ୍ତି

କଶ୍ମୀର ପଣ୍ଡିତମାନଙ୍କ ନିର୍ଯାତନା ଏବଂ ସେମାନଙ୍କ ସଂଘର୍ଷକୁ ନେଇ କଶ୍ମୀର ଫାଇଲ୍ସ ସିନେମା ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିନେମା ଅତ୍ୟନ୍ତ ବିବାଦୀୟ ହୋଇଯାଇଥିଲା। ସମାଲୋଚକଙ୍କ ଅନୁସାରେ ଏହି ସିନେମା ଜନମତକୁ ପ୍ରଭାବିତ କରିବାର ମନ୍ଦ ଉଦ୍ଦେଶ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିଲା। ଉକ୍ତ ଫିଲ୍ମର ଉଷ୍ମତା ନ ଥମୁଣୁ ଏବେ ‘ଦି କେରଲା ଷ୍ଟୋରି’ ସିନେମା ପୁଣି ଗୋଟିଏ ଝଡ଼ ସୃଷ୍ଟି କରିଛି। ବିପୁଲ ଅମୃତଲାଲ ଶାହାଙ୍କ ପ୍ରଯୋଜିତ ଏବଂ ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶିତ ଉକ୍ତ ସିନେମା ମେ ୫ ରେ ପରଦାକୁ ଆସିବାକୁ ଅଛି। କିନ୍ତୁ ଏପ୍ରିଲ ୨୬ରେ ଦି କେରଲା ଷ୍ଟୋରିର ଟ୍ରେଲର ରିଲିଜ ହେବା ପରେ ଏହା ଉପରେ ନିଷେଧାଦେଶ ଜାରି କରିବାକୁ କଂଗ୍ରେସ, ସିପିଏମ୍‌ ଭଳି ରାଜନୈତିକ ଦଳଗୁଡ଼ିକ ଦାବି କରିଛନ୍ତି। ଏଥିରେ ମୁସଲମାନମାନଙ୍କୁ ନୂ୍ୟନ୍‌ କରି ଦେଖାଯାଇଥିବା ଅଭିଯୋଗ କରାଯାଇଛି। ସିନେମାରେ ଦର୍ଶାଯାଇଛି ଯେ, କେରଳରୁ ‘୩୨,୦୦୦’ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅଙ୍କୁ ଧର୍ମାନ୍ତରିତ କରି ଇସ୍‌ଲାମିକ ଷ୍ଟେଟ (ଆଇଏସ୍‌ଆଇଏସ୍‌) ଦଖଲରେ ଥିବା ଅଞ୍ଚଳକୁ ପଠାଇ ଇରାକ ଓ ସିରିଆରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ କରାଯାଇଛି। ଏହିସବୁ ତଥ୍ୟର ସତ୍ୟାସତ୍ୟକୁ ନେଇ ପ୍ରଶ୍ନ ଉଠିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଦି କେରଲା ଷ୍ଟୋରି ଫିଲ୍ମକୁ ସଂଘ ପରିବାରର ପ୍ରୋପାଗଣ୍ଡା ବୋଲି କହିଛନ୍ତି। ସେ ଏହାକୁ ମୁସଲମାନ ବିରୋଧୀ ଓ ସାମ୍ପ୍ରଦାୟିକ ଧ୍ରୁବୀକରଣର ଆଖ୍ୟା ଦେଇଛନ୍ତି। କଂଗ୍ରେସ ନେତା ତଥା ଥିରୁଭାନନ୍ତପୁରମ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ଦି କେରଲା ଷ୍ଟୋରି ତୁମ ଷ୍ଟୋରି ହୋଇଥିବ, ଏହା ଆମ କେରଳର କାହାଣୀ ନୁହେଁ। ଉକ୍ତ ଫିଲ୍ମକୁ ନେଇ କେରଳରେ ତୀବ୍ର ପ୍ରତିବାଦ ଦେଖାଦେଇଥିବାବେଳେ ଏହାକୁ କଶ୍ମୀର ଫାଇଲ୍ସ ସହ ତୁଳନା କରାଯାଇଛି। ନବେ ଦଶକର ପ୍ରାରମ୍ଭରେ କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ବିସ୍ଥାପନ ଘଟଣାର ୩ ଦଶନ୍ଧି ପରେ ଫିଲ୍ମ ମାଧ୍ୟମରେ ଉପସ୍ଥାପନ ସଂଖ୍ୟାଲଘୁଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରାଯିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ଉଠିଥିଲେ ମଧ୍ୟ ଶେଷରେ ତାହା ରିଲିଜ ହୋଇଥିଲା। ଏପରିକି ଭାଜପାର ଅନେକ ନେତା ବ୍ୟକ୍ତିଗତ ସ୍ତରରେ ସ୍ବତନ୍ତ୍ର ସ୍କ୍ରିନିଂର ଆୟୋଜନ କରି ତାହାର ପ୍ରଚାରକ ପାଲଟିଥିଲେ।
ଦି କେରଲା ଷ୍ଟୋରି ରିଲିଜ ହେବାକୁ ଆଉ ଦୁଇ ଦିନ ବାକି ଅଛି। ତେବେ ଉକ୍ତ ଫିଲ୍ମ ଉପରେ ପ୍ରତିବନ୍ଧକ ଜାରି କରିବା ଲାଗି ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି। କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଏବଂ ଆଡଭୋକେଟ ନିଜାମ ପାଶା ସୁପ୍ରିମକୋର୍ଟରେ ଦି କେରଲା ଷ୍ଟୋରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରି ଏହି ଚଳଚ୍ଚିତ୍ର ଘୃଣାର ବକ୍ତବ୍ୟକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ଆଣିଥିଲେ। ଏହା ଉପରେ କୋର୍ଟ ଉଭୟ ଓକିଲଙ୍କୁ କହିଛନ୍ତି ଯେ ଫିଲ୍ମ ସାର୍ଟିଫିକେଟ ପ୍ରକ୍ରିୟା ଦେଇ ଗତି କରିଛି। ଆମେ ଏହାକୁ ଘୃଣା ଭାଷଣର ଏକ ଅଂଶ ଭାବରେ ବିବେଚନା କରିପାରିବୁ ନାହିଁ। ଏଣୁ କଶ୍ମୀର ଫାଇଲ୍ସ ଭଳି ଦି କେରଲା ଷ୍ଟୋରି ରିଲିଜ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଉକ୍ତ ଫିଲ୍ମ ଉପରେ ରାଜନୈତିକ ପ୍ରତିକ୍ରିୟାଗୁଡ଼ିକ ସରକାରଙ୍କ ସଂଖ୍ୟାଲଘୁ କୈନ୍ଦ୍ରିକ ନକାରାମତ୍କ ମନୋଭାବକୁ ପ୍ରକାଶ କରୁଥିବା ଜଣାପଡ଼ୁଛି। ଦେଶର ଅଭ୍ୟନ୍ତରୀଣ ସୁଧାର ଉପରେ ମନ ନ ଲଗାଇ ସଂଖ୍ୟାଲଘୁଙ୍କ ବିରୋଧରେ ମତ ସୃଷ୍ଟି କରିବା ଭାଜପାର ଏକ ନୀତି ହୋଇଯାଇଥିବା ଭଳି ମନେହେଉଛି। ନାଗରିକ ସଂଶୋଧନ ଆଇନ(ସିଏଏ)ଠାରୁ ଆରମ୍ଭ କରି ତଲାକ, ହିଜାବ ଓ ନମାଜ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଭାଜନକାରୀ ରାଜନୀତି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ , ସିଏଏ ଲାଗୁ କରିବାରେ ସରକାର ବିଫଳ ହୋଇଥିଲେ ମଧ୍ୟ ସେ ସମୟରେ ଦେଶବ୍ୟାପୀ ପ୍ରତିବାଦରୁ କିଛି ଶିକ୍ଷା ଲାଭ କରିଥିବା ଭଳି ମନେହେଉନାହିଁ। ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଥିବା ଭାରତରେ ଏବେ ବେରୋଜଗାର ଅଧିକ ଥିବାବେଳେ ଆର୍ଥିକ ସଂସ୍କାର ବଦଳରେ ନାଗରିକ ପୃଥକୀକରଣ ଚିନ୍ତାଧାରା କ୍ଷତି ପହଞ୍ଚାଉଛି। ବିବିଧତା ଓ ଅଖଣ୍ଡତାର ମନ୍ତ୍ରକୁ ପାଥେୟ କରୁଥିବା ଭାରତ ଯଦି ତା’ର ନାଗରିକମାନଙ୍କୁ ସମାନ ଭାବେ ଦେଖି ନ ପାରିବ, ତେବେ ଗଣତନ୍ତ୍ରର ଅଧୋଗତି ହେବାର ଆଶଙ୍କା ଉପୁଜିବ। ବହୁୁ ସମୟରେ ଦେଶର ଏଭଳି ଚିନ୍ତାଧାରା ଓ କାର୍ଯ୍ୟକଳାପ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ବର ଉଠିବା ଲକ୍ଷ୍ୟ କରାଯାଉଛି। ଏପରିକି ଭାରତ ଦ୍ୱାରା ଆୟୋଜିତ ୨୦୨୨ ଗୋଆ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା କଶ୍ମୀର ଫାଇଲ୍ସକୁ ତୀବ୍ର ଭାଷାରେ ନିନ୍ଦାକରି ଜୁରିର ଚେୟାରପର୍ସନ ତଥା ଇସ୍ରାଏଲର ଚଳଚ୍ଚିତ୍ର ନିର୍ମାତା ନଦାଭ ଲାପିଡ୍‌ ତାହାକୁ ଅଶ୍ଳୀଳ ଓ ପ୍ରଚାରଧର୍ମୀ ସିନେମା ବୋଲି କହିଥିଲେ। ଏହିମତ ସହ ଜୁରି ଏକମତ ହୋଇଥିଲେ। କୌତୂହଳର ବିଷୟ, ସେହି ଜୁରିର କେବଳ ମାତ୍ର ଜଣେ ଭାରତୀୟ ସିନେମା ନିର୍ଦ୍ଦେଶକ ସୁଦିପ୍ତୋ ସେନ୍‌ ଏହି ସମାଲୋଚନାକୁ ଲାପିଡ୍‌ଙ୍କର ବ୍ୟକ୍ତିଗତ ମତ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ, ସେହି ସୁଦିପ୍ତୋ ସେନ ଏବକାର ବିବାଦୀୟ ଦି କେରଲା ଷ୍ଟୋରିର ନିର୍ଦ୍ଦେଶକ। ହିନ୍ଦୀ ସିନେମା ଜଗତକ୍‌ୁ ନିଜର ପ୍ରଚାର ପ୍ରସାର ପାଇଁ କାମରେ ଲଗାଇବା ମୋଦି ସରକାରଙ୍କର ଏକ ଅଘୋଷିତ କୌଶଳ ହୋଇଗଲାଣି। ନିକଟରେ ମୋଦିଙ୍କର ୧୦୦ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ବଲିଉଡ୍‌ର ବହୁ କଳାକାର ଯୋଗଦେଇଥିଲେ। କେବଳ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କୁ ନିମନ୍ତ୍ରଣ ସତ୍ତ୍ୱେ ସେ ଯୋଗଦେଇ ନ ଥିବା କୁହାଯାଉଛି।
ସାଧାରଣରେ ଦେଖାଯାଇଥାଏ, ଏକଚ୍ଛତ୍ରବାଦୀ ନେତାମାନେ କଳା, ସଂସ୍କୃତି, ଶିକ୍ଷା ଓ ଗଣମାଧ୍ୟମକୁ ଆୟତ୍ତ କରି ତା’ ମାଧ୍ୟମରେ ଏକଚ୍ଛତ୍ରବାଦ ଚିନ୍ତାଧାରାର ମଞ୍ଜି ଲୋକଙ୍କ ମନରେ ପୋତିଥାନ୍ତି। ଭାରତରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ହିନ୍ଦୀ ଚଳଚ୍ଚିତ୍ର ମାଧ୍ୟମରେ ତାହାର ସିଦ୍ଧାନ୍ତ ଓ ଉଦ୍ଦେଶ୍ୟକୁ ଆଗେଇନେବାର ଚେଷ୍ଟା ଚଳାଇଛି। ଏହିଭଳି ପ୍ରୟାସ ନା ଯେ କେବଳ ଗଣତନ୍ତ୍ର ପାଇଁ ବିପଜ୍ଜନକ, କଳାଜଗତ ଲାଗି ମଧ୍ୟ ଏକ ବିପତ୍ତିର ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri