ବଡ଼ଗାଁ,୧୯ା୪(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଲଖୁଆପଡା ଗାଁ ଦାଣ୍ଡ ଶନିବାର ରାତିରେ ରକ୍ତରଞ୍ଚିତ ହୋଇଥିଲା। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଗାଁ ଦାଣ୍ଡରେ ଶୋଇଥିବା ବ୍ୟକ୍ତିଙ୍କୁ ଶାବଳରେ ମରଣାନ୍ତକ ଆକ୍ରମଣ କରିବାରୁ ୯ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିଲେ ।
ଘଟଣା ଅନୁଯାୟୀ, ପ୍ରଚଣ୍ଡ ଗରମ ଯୋଗୁଁ ଗାଁ ଦାଣ୍ଡରେ ଲୋକେ ଶୋଇଥିବାବେଳେ ଗ୍ରାମର ଯୋଗେଶ୍ୱର ଚମାର(୩୫) ଏକ ଶାବଳ ଧରି ରାତି ସାଢେ଼ ୧୧ ଟାରେ ଘରୁ ବାହାରିଥିଲେ । ସେ ରାସ୍ତାରେ ଖଟ ପକାଇ ଶୋଇଥିବା ରାଜ କୁମାର ବରୁଆ (୫୬) ଙ୍କୁ ପ୍ରଥମେ ଶାବଳରେ ମୁଣ୍ଡ କୁ ଆକ୍ରମଣ କରିଥିଲେ। ରାଜ କୁମାର ଯନ୍ତ୍ରଣାରେ ଚିତ୍କାର କରିବାରୁ ତାଙ୍କ ସ୍ତ୍ରୀ ସୁଭଦ୍ରା, ଭଉଣୀ ଯଶୋଦା ଓ ଭାଉଜ ଚଞ୍ଚଳା ବରୁଆ ଘରୁ ବାହାରିଥିଲେ। ଏହି ସମୟରେ ହଠାତ୍ ଯୋଗେଶ୍ୱର ଚମାର ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଏହି ଘଟଣା ପରେ ଲୋକେ ଯୋଗେଶ୍ୱରଙ୍କୁ କାବୁ କରିବାକୁ ଉଦ୍ୟମ କଲାବେଳେ ବସନ୍ତ ଲେହେରି, ବିକାଶ ଲେହେରୀ, ସନ୍ତୋଷ ନାଗ ଓ ସୁରଜମନୀ ନାଗଙ୍କୁ ଶାବଳରେ ଆକ୍ରମଣ କରିଥିଲେ। ୯ ଜଣଙ୍କୁ ଶାବଳରେ ଆକ୍ରମଣ କରି ଲହୁଲୁହାଣ କଲାପରେ ଲୋକେ ବହୁ କଷ୍ଟରେ ଯୋଗେଶ୍ୱର ଚମାରଙ୍କୁ କାବୁ କରି ମାଡ଼ ମାରିଥିଲେ ଓ ପୋଲିସ କୁ ଜଣାଇଥିଲେ।
ବଡ଼ଗାଁ ଥାନା ପୋଲିସ ଏଏସଆଇ ବିଜୟ କୁମାର କର ସଦଳବଳେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରିବା ସହିତ ଆହତ ଯୋଗେଶ୍ୱରଙ୍କୁ ଗିରଫ କରିଥିଲେ। ଯୋଗେଶ୍ୱର ଚମାରଙ୍କୁ ବଡ଼ଗାଁ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗୁରୁତର ଆହତ ରାଜ କୁମାର ବରୁଆଙ୍କୁ ବଡ଼ଗାଁ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ପଠାଯାଇଥିଲା। ସେଠାରୁ ରାଉରକେଲା ଜୟ ପ୍ରକାଶ ମେଡିକାଲକୁ ନେଲାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଥାନା କେସ ନମ୍ବର ୧୨୬ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।