କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ବିଦ୍ୟୁତ୍, ଉଦ୍ୟାନ ବିଭାଗ, ସମନ୍ବିତ ଶିଶୁ ବିକାଶ ଯୋଜନା, ପାନୀୟଜଳ, ରାସ୍ତା ଘାଟ ଭଳି ଉୟନମୂଳକ କାର୍ଯ୍ୟ ବିଷୟରେ ବିଡ଼ିଓ ଜନ୍ମେଜୟ ସ୍ବାଇଁ ଓ ସରପଞ୍ଚ, ସମିତି ମେମ୍ବରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବେଲଖଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶାନ୍ତ ବାଗ ବେଲଖଣ୍ଡି ଗ୍ରାମ କଲୋନୀପଡ଼ାରେ ୪ଦିନ ବ୍ୟାପୀ ଝାଡ଼ାବାନ୍ତି ଲାଗିରହିଥିବାବେଳେ ମେଡିକାଲରେ ଚିକିତ୍ସା ଅବହେଳା କରିଥିବା ପ୍ରସଙ୍ଗ ଉଠାଇଥିଲେ।
ସୂଚନାଯୋଗ୍ୟ କଲୋନୀପଡ଼ାର ସୁବାସ ଛତ୍ରିଆଙ୍କ ଘରେ ଗତ ରବିବାର ଭୋଜିର ଆୟୋଜନ ହୋଇଥିଲା। ଆମନ୍ତ୍ରଣ କ୍ରମେ ସୁବାସଙ୍କ ଶତାଧିକ ବନ୍ଧୁ, ପରିଜନ ଭୋଜିରେ ଚିକେନ, ମାଛ ଆଦି ଖାଇଥିଲେ। ହେଲେ ସେହି ରାତିରେ ଲୋକଙ୍କ ଝାଡାବାନ୍ତି ଆରମ୍ଭ ହୋଇଥିଲା। ସରପଞ୍ଚ ବାଗ ବେଲଖଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ ମଧ୍ୟ ଡାକ୍ତର, କର୍ମଚାରୀ ଠିକ୍ ଭାବେ ଚିକିତ୍ସା ନ କରି ଫେରିଯାଇଥିବା ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ବେଲଖଣ୍ଡି ହସ୍ପିଟାଲର ମେଡିକାଲ ଅଫିସର ଡା. ପ୍ରତିଭା ରାୟ କହିଲେ ଯେ, ସମସ୍ତ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ରୋଗୀ ସଂଖ୍ୟା ଅଧିକ ହେବାରୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରକାଶ କରିଥିଲେ। ବୁଧବାର ପାଷ୍ଟିକୁଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣାର ଏକ ମେଡିକାଲ ଟିମ୍ ଗ୍ରାମରେ ପହଞ୍ଚତ୍ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୀଳାବତୀ ତାଣ୍ଡି (୪୩), ବିନୋଦିନି ତାଣ୍ଡି (୫୯), ସମୀକ୍ଷା ନାଏକ (୨୨), କୁମୁଦିନି ଛଟ୍ରିଆ (୫୬)ଙ୍କ ସମେତ ୧୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।


