୧୫ ଦିନ ମଧ୍ୟରେ ଡିଜିପି ଜବାବ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୬ା୧୨:ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ମହିଳା ହିଂସା ସମ୍ପର୍କିତ ମାମଲାଗୁଡ଼ିକର ପଞ୍ଜୀକରଣ ପାଇଁ ରାଜ୍ୟରେ ଇ-ଏଫ୍‌ଆଇଆର୍‌ ବ୍ୟବସ୍ଥା ପ୍ରଚଳନ ପାଇଁ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ସୋମବାର ହାଇକୋର୍ଟର ବିଚାରପତି ଏସ୍‌. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ଆବେଦନକାରୀ ଝରଣାବାଳା ପାତ୍ରଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି ବେଳେ କଟକ ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୋମବାର ଭିଡିଓ କନ୍‌ଫରେନ୍ସ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ। ମହିଳାଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ହିଂସାଜନିତ ମାମଲାର ପଞ୍ଜୀକରଣ ପାଇଁ ସେମାନେ ଥାନାକୁ ଆସି ଅନେକ ସମୟରେ ଅସୁବିଧାରେ ପଡ଼ିବା ସହ ନାନା ପ୍ରକାର ହଇରାଣ ହେଉଛନ୍ତି। ତେବେ ଇ-ଏଫ୍‌ଆଇଆର୍‌ ପଞ୍ଜୀକରଣ ମାଧ୍ୟମରେ ଏଭଳି ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଦାଲତ ଆଶାପୋଷଣ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏ. କେ. ମହାପାତ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡିଶନାଲ ଷ୍ଟାଣ୍ଡିଂ କାଉନସେଲ ଏସ୍‌. ଏନ୍‌. ଦାସ ମାମଲା ପରିଚାଳନା କରୁଛନ୍ତି।