୧୫ରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି

କଟକ ଅଫିସ,୧୨।୨: ଆସନ୍ତା ୧୫ ତାରିଖରୁ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କରୋନା ମହାମାରୀ ଯୋଗୁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ ହେଉଥିଲା। ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଗୁରୁବାର ଏସ୍‌ଓପି ଜାରି କରାଯାଇଛି। କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବାକୁ ଥିଲେ ମଧ୍ୟ ଭର୍ଚୁଆଲ ଶୁଣାଣିକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇନାହିଁ। ଜଣେ ଆଇନଜୀବୀ ଯଦି ଭର୍ଚୁଆଲ୍‌ ମାଧ୍ୟମରେ ଶୁଣାଣି ଚାହିଁବେ, ତେବେ ସେ ଏହି ବ୍ୟବସ୍ଥା ଜରିଆରେ ଭାଗ ନେଇପାରିବେ ବୋଲି ଏସ୍‌ଓପିରେ ସ୍ପଷ୍ଟ କରାଯାଇଛି। କିନ୍ତୁ ସିଧାସଳଖ ଶୁଣାଣିବେଳେ କୋର୍ଟ ରୁମ୍‌ରେ ୫ଜଣ ଆଇନଜୀବୀଙ୍କୁ ଏକକାଳୀନ ଉପସ୍ଥିତ ରହିବାକୁ ଅନୁମତି ମିଳିବ। ଯଦି କେହି ଆଇନଜୀବୀ ଉପାନ୍ତ ଅଞ୍ଚଳରୁ ଭର୍ଚୁଆଲ୍‌ ମୋଡ୍‌ରେ ମାମଲା ପରିଚାଳନା କରିବାକୁ ଚାହୁଁଥାଆନ୍ତି, ଏହାପୂର୍ବରୁ ତାଙ୍କୁ କୋର୍ଟ ମାଷ୍ଟରଙ୍କ ନିକଟକୁ ତାଙ୍କ ନାମ, କେସ୍‌ ନମ୍ବର, କେସ୍‌ ସମ୍ପର୍କିତ ସବିଶେଷ ତଥ୍ୟ ଜଣାଇବାକୁ ପଡ଼ିବ। ଆଇନଜୀବୀ, କ୍ଲର୍କ, କୌଣସି ପକ୍ଷ, ହାଇକୋର୍ଟ ବାର୍‌ ଆସୋସିଏଶନ୍‌ କିମ୍ବା ଆଇନଜୀବୀ ପରିଷଦ ଦ୍ୱାରା ଦିଆଯାଇଥିବା ପାସ୍‌ ଦେଖାଇ କୋର୍ଟକୁ ପ୍ରବେଶ କରିପାରିବେ। ବରିଷ୍ଠ ଆଇନଜୀବୀଙ୍କ ସାଥିରେ ଜଣେ ସହକାରୀ ଆଇନଜୀବୀ କୋର୍ଟକୁ ଯାଇପାରିବେ। ଯଦି ଅଧିକ ଡକ୍ୟୁମେଣ୍ଟ ଥାଏ, ତା’ହେଲେ ଆଇନଜୀବୀ କ୍ଲର୍କର ସହାୟତା ନେଇପାରିବେ। ହେଲେ ସମ୍ପୃକ୍ତ କ୍ଲର୍କଙ୍କୁ ପ୍ରତୀକ୍ଷାଗୃହ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିପାରିବ।