ଆବାସ ଯୋଜନାରୁ ବଞ୍ଚିତ ଦିଲୀପ

ବାଉଁଶୁଣୀ,୧୩ା୧(ଡି.ଏନ.ଏ.):ଦିଲୀପ କୁମାର ଦେହୁରୀ(୫୮)। ଘର ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ମାଲିପଡ଼ା ଖଣ୍ଡଜମି ଗ୍ରାମରେ। ତାଙ୍କର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବା ବେଳେ ଜମିବାଡି କିଛି ନାହିଁ ା ମୂଲ ଲାଗି କୌଣସି ମତେ ଚଳନ୍ତି। ଆବାସ ଯୋଜନାରେ ଘର ପାଇବା ପାଇଁ ବହୁବାର ଆବେଦନ କରି ମଧ୍ୟ କୌଣସି ସୁଫଳ ମିଳିନାହିଁ ା ଫଳରେ ଭାଗ୍ୟକୁ ଆଦରି ଭଙ୍ଗାକୁଡିଆ ଘରେ ଏକାକୀ ରହୁଛନ୍ତି ଦିଲୀପ। ବୟସର ଅପରାହ୍ନରେ ପହଞ୍ଚତ୍ଥିବା ବେଳେ ସେ ଅବିବାହିତ ଥିବାରୁ ତାଙ୍କର ସାହା ହେବା ପାଇଁ କେହି ନାହାଁନ୍ତି। ଦିନେ ଖାଇଲେ ଦିନେ ଉପବାସ ରୁହନ୍ତି। ସରକାରୀ ସହାୟତା କହିଲେ ରାଶନ କାର୍ଡ ମାଧ୍ୟମରେ ମିଳୁଛି କେବଳ ୫ କେଜି ଚାଉଳ ା ଘର ସାମ୍ନାରେ ବିଦ୍ୟୁତ୍‌ ଖୁଣ୍ଟ ଥାଇ ମଧ୍ୟ ଏଯାବତ୍‌ ତାଙ୍କ ଘରକୁ ହୋଇନି ବିଦ୍ୟୁତ୍‌ ସଂଯୋଗ। ଅପରପକ୍ଷରେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଦିଲୀପ ରହୁଥିବା ଘରର ଛପର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିଛି। କାନ୍ଥଗୁଡ଼ିକରେ ଫାଟ ହୋଇଛି। ଯେ କୌଣସି ମୁହୂର୍ତ୍ତରେ ଘର ଭାଙ୍ଗି ପଡିବାର ଆଶଙ୍କା ରହିଛି। ବାଉଁଶୁଣୀ ପଞ୍ଚାୟତର କେତେଜଣ ବ୍ୟକ୍ତିଙ୍କ ପକ୍କାଘର ଥାଇ ମଧ୍ୟ ଆବାସ ଯୋଜନାର ନୂତନ ତାଲିକାରେ ସେମାନଙ୍କ ନାମ ରହିଛ। ଏହାସହିତ ବାଉଁଶୁଣୀ ପଞ୍ଚାୟତର କେତେଜଣ ବ୍ୟକ୍ତି ପୂର୍ବରୁ ଘର ପାଇଛନ୍ତି ହେଲେ ସେମାନଙ୍କ ନାମରେ ଘର ଆସିଛ। ଜିଲା ପ୍ରଶାସନ ଏହାର ତଦନ୍ତ କରି ଆବାସ ଯୋଜନାର ନୂତନ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ହଟାଇ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି ହେଉଛି। ଏହାଛଡା ଦିଲୀପଙ୍କୁ ୫ କେଜି ଚାଉଳ ବଦଳରେ ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ, ଭତ୍ତା ଏବଂ ଘରକୁ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ଭୋଇଙ୍କୁ ପଚାରିବାରୁ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଥିଲେ। ସୂଚନାଯୋଗ୍ୟ,ଆବାସ ଯୋଜନା ଦୁର୍ନୀତିର ଗନ୍ତାଘର ପାଲଟିଛି ବାଉଁଶୁଣୀ ପଞ୍ଚାୟତ। ତୁରନ୍ତ ବୌଦ୍ଧ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।