ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ ବୁଣି ସାରିଲେଣି । କିଛି ଅଞ୍ଚଳର ଧାନ ତଳି କିଆରୀରେ ଧାନ ଗଜା ହେଲାଣି । ବର୍ଷା ଅଭାବରୁ ଗଜା ମରୁଡି ହେବା ଆଶଙ୍କା ଉପୁଜିଛି । ଏହି ୨ଟି ବ୍ଲକ ଚାଷୀମାନଙ୍କର ଜୀବନ ରେଖା ରୂପେ ପରିଚିତ ଘୋଡାହାଡ ଡ଼୍ୟାମ ଉପରେ ଏବେ ଭରସା ରଖିଛନ୍ତି। ଘୋଡାହାଡ ଡ଼୍ୟାମ ନିର୍ମାଣ ହେବା ପରଠାରୁ ଏହି ଅଞ୍ଚଳରେ ମରୁଡି ହୋଇ ନଥିବା ପୁରୂଖା ଚାଷୀମାନେ କୁହନ୍ତି।
ଘୋଡାହାଡ ଡ଼୍ୟାମରେ ବୁଧବାର ସୁଦ୍ଧା ୧୧୭.୨୮ ମିଟର ଅର୍ଥାତ ୯୬ ପ୍ରତିଶତ ପାଣି ଗଚ୍ଛିତ ଥିବା ଜଣାପଡ଼ିଛି। ଡ଼୍ୟାମ ଇଲାକାରେ ଗତ ଜୁନ ୨୫ରେ ୧୧୧ ମି.ମି ବର୍ଷା ହୋଇଥିବା ବେଳେ ଜୁନ ୨୬ରେ ୧୪୧ ମି.ମି ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଚାଷୀମାନେ ଘୋଡାହାଡ ଡ଼୍ୟାମର ଗଚ୍ଛିତ ପାଣିକୁ ଦେଖି ଧାନ ବିହନ ଜମିରେ ବୁଣିଥିବା ବେଳେ ଆଗକୁ ବର୍ଷା ନ ହେଲେ ଡ଼୍ୟାମରୁ ପାଣି ଛାଡିବା ପାଇଁ ଅନେଇ ବସିଛନ୍ତି । ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧିନରେ ସମୁଦାୟ ୨୧ଟି ପାଣି ପଞ୍ଚାୟତ ରହିଥିବା ବେଳେ ୭୭୫୮ ହେକ୍ଟର ଜମିକୁ ଡ଼୍ୟାମର ପାଣି ମାଡ଼ୁଛି । ଡ଼୍ୟାମ ର ଲମ୍ବା ୧.୭୨୪ ମିଟର।ଉଚ୍ଚତା ୨୭.୨୩ ମିଟର।ଜଳ ଧାରଣ କ୍ଷମତା ୨୦ ମିଲିୟନ କ୍ୟୁୁବିକ ମିଟର। କେଚମେଣ୍ଟ ଏରିଆ ୧୩୮ ସ୍କ୍ୱାୟର ମିଟର ।
ଚାଷୀଙ୍କ ଧାନ ତଳି ବଢିବା ପାଇଁ କେଉଁଦିନ ଡ଼୍ୟାମରୁ ପାଣି ଛଡାଯିବ ସେ ନେଇ ଆଗାମୀ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାରେ ନିଷ୍ପତ୍ତି ନିଆଯିବ ବୋଲି ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର କହିଛନ୍ତି। ଘୋଡ଼ାହାଡ଼ ଡ଼୍ୟାମ ନିର୍ମାଣର ପ୍ରାୟ ୫୦ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ପଟୁ ମାଟି ଜମି ଯିବା କାରଣରୁ ଡ଼୍ୟାମର ଜଳଧାରଣ କ୍ଷମତା ଦିନକୁ ଦିନ ସଙ୍କୁଚିତ ହୋଇ ପଡ଼ିବାରୁ କେନାଲର ଶେଷ ମୁଣ୍ଡକୁ ଆବଶ୍ୟକ ପାଣି ମିଳି ପାରୁନାହିଁ । ଚାଷୀ ତାର ଜମିକୁ ଆବଶ୍ୟକ ଜଳ ସେଚିତ କରିପାରୁନି । ଡ଼୍ୟାମର ମୁଖ୍ୟ ସ୍ପିଲ୍ ୱେରେ ସୃଷ୍ଟି ହୋଇଥିବା ଫାଟ ମରାମତି କରାଯାଇଥିଲେ ମଧ୍ୟ ପାଣି ଲିକେଜ୍ ହୋଇ ନଦୀ ଗର୍ଭକୁ ଚାଲି ଯାଉଛି ।
ଚଳିତ ବର୍ଷ କେନାଲ ମରାମତି ନହେବା କାରଣରୁ ଅନେକ ଶାଖା କେନାଲ ଭାଙ୍ଗିରୁଜି ଯାଇଛି। ଦିଗପହଣ୍ଡି ଅଞ୍ଚଳର ୨୫୮୩୫ ହେକ୍ଟର ଚାଷଜମି ରହିଥିବା ବେଳେ ପ୍ରାୟ ୧୬ ହଜାର ହେକ୍ଟର ଚାଷଜମିରେ ଖରିଫ ଧାନ ଚାଷ କରାଯିବା ପାଇଁ ଟାର୍ଗେଟ ରହିଛି । ପ୍ରାୟ ୧୪ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯିବ ବୋଲି ଦିଗପହଣ୍ଡି ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତ କହିଛନ୍ତି। ପ୍ରାୟ ୯୭୫୫ ହେକ୍ଟର ଜମିରେ ଅଣଧାନ ଯଥା କପା, ମକା ଓ ପନିପରିବା ଚାଷ କରାଯାଉଛି । ଚକିପଡ଼ା, ମଦନ ମୋହନ ପୁର, କଲ୍ୟାଣପୁର, ଭୁଶୁଣ୍ଡା, ପ୍ରଭୃତି ଗାଁର ଚାଷ ଜମିକୁ କେନାଲ ପାଣି ଆସୁନି। ଚାଷୀ ବର୍ଷା ଅଭାବରୁ ହତାଶ ହୋଇପଡିଛି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।