ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି। ପ୍ରଫୁଲ୍ଲ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସାଙ୍ଗଠନିକ ଦକ୍ଷତା ଆଧାରରେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପକ୍ଷରୁ ଏ ନେଇ ତାଙ୍କ ନାଁକୁ ସୁପାରିଶ କରାଯାଇଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ଏଆଇସିସି ର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏହାକୁ ଅନୁମୋଦନ କରିଥିବା ଜଣାପଡିଛି।
ପିସିସି ପକ୍ଷରୁ ଏନେଇ ଘୋଷଣା କରାଯିବା ପରେ ଦିଗପହଣ୍ଡି ନଗର କଂଗ୍ରେସ ଏବଂ ବ୍ଲକ କଂଗ୍ରେସରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରଦେଶ ସ୍ତରରେ ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆ ଯାଇଥିବାରୁ ପ୍ରଫୁଲ୍ଲ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଜିଲା କଂଗ୍ରେସ କମିଟି ସଭାପତି(ପୂର୍ବ) ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପ୍ରଫୁଲ୍ଲଙ୍କୁ ଦିଗପହଣ୍ଡି ନଗର କଂଗ୍ରେସ କମିଟି ସଭାପତି ଦୀପକ କୁମାର ମିଶ୍ର, ଦିଗପହଣ୍ଡି ବ୍ଲକ କଂଗ୍ରେସ କମିଟି ସଭାପତି ଶଙ୍କର ନାରାୟଣ ସୁବୁଦ୍ଧି, ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ, ଶିବରାମ ପ୍ରଧାନ, ରସାନନ୍ଦ ରାଉତ, ଏ.କେଶବ ରାଓ, କାଉନସିଲର ସୁନିଲ କୁମାର ପଣ୍ଡା, କଂଗ୍ରେସ କାର୍ଯ୍ୟକର୍ତ୍ତା ବାଲ୍ମୀକି ବେହେରା, ରଞ୍ଜିତ ବେହେରା, ଇ.ଶଙ୍କର, ଏମ୍. ବାଇନାଥ, ଡମ୍ବରୁଧର ବେହେରା , ଗୌରାଙ୍ଗ ପୂଜାରୀ, ଶିବପ୍ରସାଦ ସାହୁଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।