ଭୁବନେଶ୍ୱର ସହିତ ୪ ସହରରେ ୧ ଡିସେମ୍ବରରୁ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ…

ନୂଆଦିଲ୍ଲୀ,୨୯।୧୧ : ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସୂଚନାରେ କୁହାଯାଇଛି ଯେ ଖୁଚୁରା ବିଭାଗ ପାଇଁ ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ର ଏକ ଟ୍ରାଏଲ ରନ ଆରମ୍ଭ କରାଯାଇଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଏଥିପାଇଁ ୮ ଟି ବ୍ୟାଙ୍କ ଚୟନ କରାଯାଇଛି। କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଏବଂ ଆଇଡିଏଫସି ବ୍ୟାଙ୍କ ସହିତ ପରୀକ୍ଷା ମୂଳରେ ଭାବେ ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ ଆରମ୍ଭ ହେବ। ପରେ ବ୍ୟାଙ୍କ ଅଫ ବରୋଦା, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ୟୁନିଅନ ବ୍ୟାଙ୍କ ଏହି ପରୀକ୍ଷଣର ଅଂଶ ହେବେ।

ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ ପ୍ରଥମେ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଆଦି ୪ ସହରରେ ଆରମ୍ଭ ହେବ। ପରେ ଏହାକୁ ଅହମଦାବାଦ, ଗାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଏବଂ ଶିମଲା ପର୍ଯ୍ୟନ୍ତ ବିସ୍ତାର କରାଯିବ।

ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ଦିଆଯାଇଥିବା ୧୦୦, ୨୦୦ ଟଙ୍କା ନୋଟ ଏବଂ ମୁଦ୍ରା ବ୍ୟବହାର କରାଯାଇଛି। ଏହାର ଡିଜିଟାଲ ଫର୍ମକୁ ଡିଜିଟାଲ ଟଙ୍କା କୁହାଯିବ। ବୈଷୟିକ ଭାଷାରେ ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ମଧ୍ୟ କୁହାଯାଇପାରେ। ଏହା ଟଙ୍କାର ଇଲେକ୍ଟ୍ରୋନିକ ଫର୍ମ ର୍‌, ଯାହାକୁ ସ୍ପର୍ଶ ନକରି ବ୍ୟବହାର କରିହେବ। ଅର୍ଥାତ୍‌ ଏହା ଯୋଗାଯୋଗ ବିହୀନ କାରବାର।

ସରକାର ୨୦୨୨ବଜେଟରେ ଏହା ଘୋଷଣା କରିଥିଲେ। ଆରବିଆଇ କହିଛି, ଇଲେକ୍ଟ୍ରୋନିକ ଟଙ୍କା ଏକ ଡିଜିଟାଲ ଟୋକନ ଆକାରରେ ହେବ ଯାହା ଏକ ଆଇନଗତ ଟେଣ୍ଡରର ପ୍ରତିନିଧିତ୍ୱ କରିବ। ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ ଟଙ୍କା ବଣ୍ଟନ କରାଯିବ ଏବଂ ପାଇଲଟ ପରୀକ୍ଷାରେ ଭାଗ ନେଉଥିବା ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ଡିଜିଟାଲ ୱାଲେଟ ମାଧ୍ୟମରେ ଉପଭୋକ୍ତାମାନେ ଇ-ଟଙ୍କାରେ କାରବାର କରିପାରିବେ। ଏହି କାରବାରଗୁଡ଼ିକ ଉଭୟ ପି୨ପି( ପିଟୁପି) ଏବଂ ପି୨ଏମ(ପିଟୁଏମ୍‌) କରାଯାଇପାରିବ।

ଆରବିଆଇ କହିଛି ଯେ ଏହି ଡିଜିଟାଲ ଟଙ୍କାରେ ପାରମ୍ପାରିକ ନଗଦ ମୁଦ୍ରା ପରି ଧାରକଙ୍କୁ ବିଶ୍ୱାସ, ସୁରକ୍ଷା ଏବଂ ଚୂଡ଼ାନ୍ତ ସମାଧାନର ସୁବିଧା ଦିଆଯିବ। ଆରବିଆଇ କହିଛି ଯେ ନଗଦ ଟଙ୍କା ଭଳି ଡିଜିଟାଲ ଟଙ୍କା ଧାରକ କୌଣସି ପ୍ରକାର ସୁଧ ପାଇବେ ନାହିଁ ଏବଂ ଏହାକୁ ବ୍ୟାଙ୍କରେ ଜମା ପାଇଁ ବ୍ୟବହାର କରାଯାଇପାରିବ।

Share