ଫୋରେନ୍‌ସିକ୍‌ ଲାବଠୁ ଡିଜିଟାଲ ଦସ୍ତାବିଜ୍‌ ମାଗିଲା ଇଡି

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ଏପଟେ ଅର୍ଚ୍ଚନାଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ର ଦାଖଲ ପାଇଁ ଷ୍ଟେଟ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ଇଡି ଦ୍ୱିତୀୟ ଥର ଚିଠି ଲେଖିଥିବା ସୂଚନା ମିଳିଛି। ଗିରଫ ବେଳେ ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌ ପୋଲିସ ଜବତ କରିଥଲା। ପ୍ରମାଣ ପାଇବାକୁ ସେଗୁଡ଼ିକୁ ପୋଲିସ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ତେବେ ପୂର୍ବରୁ ଏଥିପାଇଁ ଇଡି ପକ୍ଷରୁ ଚିଠି ଲେଖାଯାଇଥିଲା। ପରେ ଇଡିକୁ ଏହି ଡିଜିଟାଲ ଦସ୍ତାବିଜକୁ ହସ୍ତାନ୍ତର କରିବାକୁ କୋର୍ଟ ଫରେନ୍‌ସିକ ଲାବକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ପରେ ଦସ୍ତାବିଜ ପଠାଇବା ବିଳମ୍ବ ହେବାରୁ ଇଡି ଚିଠି ଲେଖିଛି। ତେବେ ଉକ୍ତ ଡିଜିଟାଲ ଦସ୍ତାବିଜରେ ଆର୍ଥିକ କାରବାର ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଇଡି ଆଶା ରଖିଛି। ହେଲେ ଉକ୍ତ ଡିଜିଟାଲ ଦସ୍ତାବିଜରେ ଥିବା ପ୍ରମାଣର ସ୍ଥିତିକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଇଡି ମଙ୍ଗଳବାରଠାରୁ ଅର୍ଚ୍ଚନାଙ୍କୁ ୬ ଦିନିଆ ଓ ଜଗବନ୍ଧୁଙ୍କୁ ବୁଧବାରଠାରୁ ୯ ଦିନିଆ ରିମାଣ୍ଡ ଆଣି ମାରାଥନ ଜେରା କରୁଛି। ପ୍ରଥମେ ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖି ଜେରା କରାଯାଉଛି। ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରି ତଥ୍ୟ ହାସଲ କରୁଛି। ସେହିପରି ଏହି ରିମାଣ୍ଡ ଅବଧି ସମୟରେ ହନିଟ୍ରାପ୍‌ର ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ଏବଂ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ଇଡି ଚତୁର୍ମୁଖୀ ଜେରା କରିବାକୁ ପ୍ରସ୍ତୁତି କରୁଛି। ପ୍ରଥମ ପର୍ଯ୍ୟାୟର ୭ଦିନିଆ ରିମାଣ୍ଡ ଅବଧି ସମୟରେ ଅର୍ଚ୍ଚନା ମୁହଁ ଖୋଲି ନ ଥିଲେ। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କଠାରୁ କି ତଥ୍ୟ ଇଡି ଓକାଳି ପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।