ଜାଲ ବିଛାଉଛନ୍ତି ଡିଜିଟାଲ ସୁନ୍ଦରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ପ୍ରତିଦନ ସାଇବର ଠକମାନେ ନୂଆ ନୂଆ ପନ୍ଥା ଆପଣାଇ ଟଙ୍କା ଲୁଟୁଛନ୍ତି। ବିଶେଷ କରି ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀମାନେ ମାତିଛନ୍ତି। ସେମାନେ ଜାଲ ବିଛାଇ ଯୁବକଙ୍କୁ ଫାଶରେ ପକାଉଛନ୍ତି। ଯୁବକଙ୍କ ସହ ଅଶ୍ଳୀଳ ଚାଟ୍‌ କରିବା ପରେ ବ୍ଲାକ୍‌ମେଲ୍‌ କରି ଟଙ୍କା ଲୁଟୁଛନ୍ତି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଅନେକ ଯୁବକ ଲୋକଲଜ୍ୟା ଭୟରେ ଥାନାରେ ଅଭିଯୋଗ କରୁନାହାନ୍ତି। ତେବେ ଏପରି ସ୍ଥିତିରେ ଏହି ଡିଜିଟାଲ୍‌ ସୁନ୍ଦରୀଙ୍କଠାରୁ ଦୂରେଇ ରହିବା ପାଇଁ ରାଜ୍ୟ ପୋଲିସ ରବିବାର ଟୁଇଟ୍‌ କରି ସତର୍କ କରାଇଛି। ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ୍‌ ମିଡ଼ିଆରେ ମାତିଛନ୍ତି ଡିଜିାଟାଲ୍‌ ସୁନ୍ଦରୀ, ତେଣୁ ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍‌ରୁ ଦୂରେଇ ରୁହନ୍ତୁ। ଫେକ୍‌ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡିଓ ଚାଟ୍‌ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ଏମାନେ ଅନେକ ଟଙ୍କା ଲୁଟିନେଇ ପାରନ୍ତି। ସାଇବର ଠକଙ୍କ ଏ ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ। ଅଜଣା ଲୋକଙ୍କ ଭିଡ଼ିଓ କଲ୍‌ ଉଠାନ୍ତୁ ନାହିଁ। ଲୋକଲଜ୍ୟା ଭୟରେ ଏମାନଙ୍କୁ ପ୍ରସୟ ଦିଅନ୍ତୁ ନାହିଁି। ଆପଣ କିମ୍ବା ଆପଣଙ୍କ ପ୍ରିୟଜନ ଏପରି ପରିସ୍ଥିତିର ସାମ୍ନା କଲେ ସଙ୍ଗେସଙ୍ଗେ ପୋଲିସ ସହ ଯୋଗଯୋଗ କରିବାକୁ କୁହାଯାଇଛି।