ଦିଗପହଣ୍ଡି ପୋଲିସକୁ ବଡ଼ ସଫଳତା: ମୋଷ୍ଟ ୱାଣ୍ଟେଡ୍ ରାଜୀବ ଗିରଫ: ଫେରାର ହେବାର ୧ ବର୍ଷ ପରେ ଗଲେ…

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ୧ ବର୍ଷ ହେବ ଫେରାର ଥିବା ଦିଗପହଣ୍ଡି ଥାନାର ମୋଷ୍ଟ ୱାଣ୍ଟେଡ୍ ତଥା ପଦ୍ମନାଭପୁର ଗ୍ରାମର କୁଖ୍ୟାତ ଅଭିଯୁକ୍ତ ଏସ. ରାଜୀବ ରେଡ୍ଡୀ(୪୨)ଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ଥାନା ମାମଲା ନଂ. ୨୦୫/୨୫ (BNS ଦଫା – ୧୨୬(୨)/୧୧୫(୨)/୧୧୮(୧)/୧୦୯) ଅନୁଯାୟୀ ଅଭିଯୁକ୍ତ ରାଜୀବଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

 ସୂଚନା ଅନୁଯାୟୀ, ଗତ ୨୦୨୫ ଜୁନ୍ ୧୦ ତାରିଖରେ ସାହି ପାଇପ୍‌ରୁ ପାଣି ନେବାକୁ କେନ୍ଦ୍ରକରି ରାଜୀବ ଗାଁର ଜଣେ ବୃଦ୍ଧା ନର୍ମଦା ପାଢ଼ୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ନର୍ମଦା ଏ ସମ୍ପର୍କରେ ବ୍ରହ୍ମପୁରରେ ରହୁଥିବା ତାଙ୍କ ପୁଅ ରଞ୍ଜନ ପାଢ଼ୀଙ୍କୁ ଫୋନ୍‌ରେ ଜଣାଇଥିଲେ। ରଞ୍ଜନ ଗାଁକୁ ଆସି ରାଜୀବଙ୍କୁ ପଚରାଉଚରା କରିବାରୁ ସେ ଉତ୍ତେଜିତ ହୋଇ ଏକ ଛୁରୀରେ ରଞ୍ଜନଙ୍କ ମୁଣ୍ଡକୁ ଭୁଷି ଦେଇଥିଲେ।

ପୁଅର ଚିତ୍କାର ଶୁଣି ମା’ ନର୍ମଦା ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ରାଜୀବ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏତିକିରେ ନଥମି ସେ ଘରୁ ଏକ ପନିକି ଆଣି ଉଭୟ ମା’ ଓ ପୁଅଙ୍କୁ ହାଣିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରୁ ଫେରିବା ପରେ ରଞ୍ଜନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଗିରଫ ଭୟରେ ରାଜୀବ ଭୁବନେଶ୍ୱର ପଳାଇଥିଲେ। ସେ ଗାଁକୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ସୋମବାର ରାତି ପ୍ରାୟ ୯ଟାରେ କୌଶଳକ୍ରମେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିବା ପରେ ଗିରଫ କରିଥିଲେ। ଅଭିଯୁକ୍ତ ରାଜୀବଙ୍କ ନାଁରେ ଦିଗପହଣ୍ଡି ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Share