ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ଥାନା ପୋଲିସ। ଚୋରି ସାମଗ୍ରୀ ଜବତ କରାଯିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଟାଟା ଏସ୍ ଭ୍ୟାନ୍ (ନଂ. OD 07 B 8536) ଯୋଗେ ଜଣେ ଯୁବକ ଓ ୪ ଜଣ ମହିଳା ନୀଳମାଧବଙ୍କ ଦୋକାନ ନିକଟରେ ପହଞ୍ଚିଥିଲେ। ସେଠାରେ କେହି ନଥିବାର ସୁଯୋଗ ନେଇ ସେମାନେ ଦୋକାନରୁ ୨୦ କିଲୋ ତମ୍ବା ତାର, ୪୦ କିଲୋ ରସ ସାମଗ୍ରୀ, ୬ଟି ଏସି (AC) ଇଣ୍ଡୋର୍ ବକ୍ସ ଏବଂ ୪ଟି ଏସି କମ୍ପ୍ରେସର ଚୋରି କରି ନେଇଥିଲେ। ଚୋରି ସମୟରେ ଦୋକାନ ମାଲିକଙ୍କ ପୋଷା କୁକୁର ‘ଉର୍ମି’ ଭୁକିବାରୁ ଦୁର୍ବୃତ୍ତମାନେ ଏକ ଧାରୁଆ ଲୁହାଛଡ଼ରେ ତା’ ମୁଣ୍ଡକୁ ପ୍ରହାର କରି ଗୁରୁତର ଆହତ କରିଥିଲେ।
ଏ ନେଇ ନୀଳମାଧବ ସୋମବାର ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ. ୩୬୫/୨୬ (BNS ର ଦଫା ୩୦୫(୩)/୩(୫)) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଗୁପ୍ତ ସୂଚନା ଏବଂ ସହରର ବିଭିନ୍ନ ଛକରେ NAC ପକ୍ଷରୁ ଲଗାଯାଇଥିବା ସିସିଟିଭି (CCTV) ଫୁଟେଜ୍କୁ ଆଧାର କରି ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ଅଭିଯୁକ୍ତ ଆକାଶ ଗୌଡ଼ (୨୩)ଙ୍କୁ ଗିରଫ କରିଥିଲା।
ହିଞ୍ଜିଳିକାଟୁର ସୁଶାନ୍ତ ଚୌଧୁରୀଙ୍କ କବାଡ଼ି ଦୋକାନରୁ ପୋଲିସ ସମସ୍ତ ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଆକାଶଙ୍କ ଜାମିନ ଆବେଦନ ଆଦାଲତରେ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍-ଜେଲ୍କୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ, ଚୋରି ସାମଗ୍ରୀ କ୍ରୟ କରିଥିବା କବାଡ଼ି ଦୋକାନୀ ସୁଶାନ୍ତଙ୍କୁ ପୋଲିସ ଗିରଫ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଦେଇ ସର୍ତ୍ତମୂଳକ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି।