ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (JMFC) କୋର୍ଟରେ ଏକ ଚେକ୍ ବାଉନ୍ସ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଛି। ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧ ବର୍ଷର କାରାଦଣ୍ଡ ଏବଂ ଅଭିଯୋଗକାରୀଙ୍କୁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ରହ୍ମପୁର ଅଞ୍ଚଳରେ ରହୁଥିବା ଏବଂ ମୂଳତଃ ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନ୍ର ବାସିନ୍ଦା ବିଭୁଦତ୍ତ ରଥ ଜଣେ ଫିଲ୍ମ କମ୍ପାନୀରେ ଟଙ୍କା ବିନିଯୋଗ କରି ଦୁଇଗୁଣ ଲାଭ ଦେବାର ପ୍ରଲୋଭନ ଦେଖାଇ ସେହି ଅଞ୍ଚଳର ଚନ୍ଦନ ପାତ୍ରଙ୍କଠାରୁ ଜରୁରୀ ଆବଶ୍ୟକତା କହି ୫୩ ଲକ୍ଷ ଟଙ୍କା ଧାର ନେଇଥିଲେ। ପରେ ଚନ୍ଦନ ଟଙ୍କା ଫେରସ୍ତ ମାଗିବାରୁ ବିଭୁଦତ୍ତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୩ ଲକ୍ଷ ଟଙ୍କା ଫେରସ୍ତ କରିବା ସହ ବଳକା ୫୦ ଲକ୍ଷ ଟଙ୍କା ପାଇଁ ପ୍ରତ୍ୟେକେ ୧୦ ଲକ୍ଷ ଟଙ୍କା ଲେଖାଏ ୫ଟି ବ୍ୟାଙ୍କ୍ ଚେକ୍ ପ୍ରଦାନ କରିଥିଲେ।
ବିଭୁଦତ୍ତଙ୍କ ଦ୍ୱାରା ଦିଆଯାଇଥିବା ଗଞ୍ଜାମ ନୂଆପଡ଼ା ସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କର ୧୦ ଲକ୍ଷ ଟଙ୍କାର ପ୍ରଥମ ଚେକ୍ଟିକୁ ଚନ୍ଦନ ଦିଗପହଣ୍ଡିର ଏକ ବ୍ୟାଙ୍କରେ ଜମା କରିଥିଲେ। ମାତ୍ର ଅଭିଯୁକ୍ତଙ୍କ ଜମାଖାତାରେ ଆବଶ୍ୟକୀୟ ଟଙ୍କା ନ ଥିବାରୁ ୨୦୨୨ ଜୁଲାଇ ୩୦ ତାରିଖରେ ଚେକ୍ଟି ବାଉନ୍ସ ହୋଇଯାଇଥିଲା। ଏନେଇ ଅଭିଯୋଗକାରୀ ଚନ୍ଦନ ନିଜ ଓକିଲଙ୍କ ଜରିଆରେ ୨୦୨୨ ଅଗଷ୍ଟ ୨୨ ତାରିଖରେ ଏକ ଆଇନଗତ ନୋଟିସ୍ ପଠାଇଥିଲେ। ମାତ୍ର ସେଥିରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଚନ୍ଦନ ସେହିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଦିଗପହଣ୍ଡି ଜେଏମଏଫସି କୋର୍ଟରେ ଏନ୍.ଆଇ. ଆକ୍ଟ (Negotiable Instruments Act) ର ଦଫା ୧୩୮ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରିଥିଲେ।
ମାମଲାର ବିଚାର ପ୍ରକ୍ରିୟା ସମୟରେ ୨୦୨୩ ଜୁନ୍ ୬ ତାରିଖରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ। କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ, ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଏବଂ ନଥିପତ୍ରକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଶୀଳନ କରିବା ପରେ ଅଭିଯୁକ୍ତ ବିଭୁଦତ୍ତ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଅନୁଯାୟୀ ଅଭିଯୁକ୍ତଙ୍କୁ ୧ ବର୍ଷର ଜେଲ୍ ଦଣ୍ଡ ସହ ଅଭିଯୋଗକାରୀ ଚନ୍ଦନ ପାତ୍ରଙ୍କୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।