Categories: ବାଣିଜ୍ୟ

୮୦ ଟଙ୍କା ଟପିଲା ଡିଜେଲ ଦର

ଭୁବନେଶ୍ୱର,୨୬।୭: କରୋନା ସଂକ୍ରମଣକୁ ନେଇ ବର୍ତ୍ତମାନ ଲୋକମାନେ ଚିନ୍ତାରେ ରହିଥିବା ବେଳେ ଡିଜେଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଫଳରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରି ପକାଇଛି। ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୫ ପଇସା ବୃଦ୍ଧି ଘଟିଥିଲା। ରବିବାର ଏଥିରେ ୧୪ ପଇସା ବଢି ଡିଜେଲ ଦର ୮୦.୦୨ ଟଙ୍କା ଛୁଇଁଛି। ଜୁନ ୨୯ରେ ଶେଷଥର ଲାଗି ପେଟ୍ରୋଲ ଦର ପରିବର୍ତ୍ତନ ହୋଇଥିଲା। ଏହା ପରଠାରୁ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି। ସେହିଭଳି ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ୧୫ ପଇସା ବଢି ରେକର୍ଡ ୮୧.୯୪ ଟଙ୍କା ଛୁଇଁଛି। ଦେଶର ମେଟ୍ରୋ ସହରଗୁଡିକରେ ତେଲ ଦର ୧୩ରୁ ୧୫ ପଇସା ବୃଦ୍ଧି ଘଟିଥିବା ସୂଚନା ରହିଛି। ସ୍ଥାନୀୟ ଟିକସ ଏବଂ ଭାଟ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ତେଲ ଦରରେ ଭିନ୍ନତା ଦେଖାଯାଉଛି। ସାରା ଦେଶରେ ଗତ ୪ ସପ୍ତାହ ହେବ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ସୂଚନା ରହିଛି। ଜୁନ ୭ ପରଠାରୁ ତୈଳ ବିପଣନ କମ୍ପାନୀଗୁଡିକ ତେଲ ଦର ପରିବର୍ତ୍ତନ କରିବା ପରେ ପେଟ୍ରୋଲ ଦର ୨୧ ଥର ବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ଖାଉଟିଙ୍କୁ ୯.୧୭ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡୁଛି। ଜୁଲାଇ ମାସରେ ଡିଜେଲ ଦର ଲଗାତର ବଢି ଚାଲିଛି। ଏହି ମାସରେ ମୋଟ ୧୦ ଥର ଡିଜେଲ ଦର ବଢିଲାଣି। ଜୁନ ୭ ପରଠାରୁ ଡିଜେଲ ଲିଟର ପିଛା ୧୨.୫୫ ଟଙ୍କା ବଢିଛି। ସେହିଭଳି ଦେଶର ଅନ୍ୟ ମେଟ୍ରୋ ସହରଗୁଡିକ କଥା ବିଚାରକୁ ନେଲେ ଚେନ୍ନାଇ, କଲିକତା ଏବଂ ମୁମ୍ବାଇରେ ଡିଜେଲ ଦର ଯଥାକ୍ରମେ ୭୮.୮୬ ଟଙ୍କା, ୭୭.୦୪ ଟଙ୍କା ଏବଂ ୮୧.୧୧ ଟଙ୍କା ରହିଛି।

Share