ଆସିଲେନି ନା ଆଣିବାକୁ ଚାହିଁଲେନି: ଭକ୍ତଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପରେ ମଙ୍ଗଳବାର ଶେଷ ହୋଇଥିବା ନୂଆପଡ଼ା ଉପନିର୍ବାଚନ ଫଳାଫଳ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପାଇଁ ବହୁ ଗୁରୁତ୍ୱ ବହନ କରିବ। ଏହି ଉପନିର୍ବାଚନରେ କେଉଁ ଦଳକୁ କେତେ ଭୋଟ୍‌ ମିଳିବ ଏବଂ କିଏ ବାଜିମାତ୍‌ କରିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ବିଶେଷ ଭାବେ ଏହି ଉପନିର୍ବାଚନରେ କଂଗ୍ରେସର ଭୂମିକାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ଭକ୍ତ ଚରଣ ଦାସ ଦାୟିତ୍ୱ ନେବାପରେ ଦଳ ପ୍ରଥମ ଥର ଲାଗି ତାଙ୍କ ନେତୃତ୍ୱରେ ଉପନିର୍ବାଚନ ଲଢୁଥିଲା। ହେଲେ ଭକ୍ତଙ୍କ ଆଭିମୁଖ୍ୟକୁ ନେଇ ତାଙ୍କରି ଦଳ ଭିତରେ ଏବେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ଫଳାଫଳ ବାହାରିବା ପୂର୍ବରୁ କେଉଁ ଦଳ ଉପନିର୍ବାଚନରେ ବିଜୟୀ ହେବ ସେକଥା ଅନୁମାନ କରି କହିବା ଉଚିତ ହେବନାହିଁ। ମାତ୍ର କଂଗ୍ରେସ ଯଦି ଏହି ଆସନରେ ୩ ନମ୍ବର ସ୍ଥାନରେ ରୁହେ ତା’ହେଲେ ଉପନିର୍ବାଚନରେ ଭକ୍ତଙ୍କ ଆଭିମୁଖ୍ୟ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି କୁହାଯାଉଛି। କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ରାଜନୈତିକ ମହଲରେ ଏଭଳି ଆଲୋଚନାକୁ ଖୋରାକ ଯୋଗାଇଛି। ଭକ୍ତଙ୍କ ଦସ୍ତଖତରେ ନୂଆପଡା ଉପନିର୍ବାଚନର ପ୍ରଚାର ଲାଗି ଅକ୍ଟୋବର ୧୭ ତାରିଖରେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିଲା। ସେଥିରେ ପାଖାପାଖି ରାଜ୍ୟ ବାହାରର ପ୍ରାୟ ୧୫ ଜଣ ନେତାଙ୍କ ନାମ ରଖାଯାଇଥିଲା। ନୂଆପଡ଼ାର ସୀମାକୁ ଛତିଶଗଡ଼ ରାଜ୍ୟ ଲାଗିଛି। ସେଥିଲାଗି ସେହି ରାଜ୍ୟର ବହୁ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ହେଲେ ସୂଚନା ମୁତାବକ, ୨ ଜଣ ଛତିଶଗଡ଼ ନେତାଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ପ୍ରଚାରକୁ ଆସିଲେ ନାହିଁ। ଏପରିକି ଯେଉଁ ୨ ଜଣ ଦ୍ୱାରିକା ପ୍ରସାଦ ଯାଦବ ଏବଂ ଗୁରୁ ରୁଦ୍ରକୁମାର ଆସିଥିଲେ ସେମାନେ ଗୋଟିଏ ଦିନ ପ୍ରଚାର କରିଛନ୍ତି। ସେହିଭଳି ଆହୁରି ବହୁ ବଡ଼ ନେତାଙ୍କ ନାମ ତାଲିକାରେ ଥିବାବେଳେ ସେମାନେ ମଧ୍ୟ କେହି ଆସିଲେ ନାହିଁ। ଫଳରେ ତାଲିକାରେ ଥିବା ନେତାମାନେ ଆସିଲେନି ନା ଭକ୍ତ ଆଣିବାକୁ ଚାହିଁଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଗୋଟିଏ ପଟେ ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ରଖିଥିବା ଛତିଶଗଡ଼ ନେତାମାନେ ଆସି ବହୁଳ ମାତ୍ରାରେ ସୀମାନ୍ତ ଗ୍ରାମଗୁଡ଼ିକରେ ବୁଲି ପ୍ରଚାର କରିଲେ। ଛତିଶଗଡ଼ର ବହୁ ଭାଜପା ନେତା ଖରିଆର୍‌ ରୋଡ୍‌ ଏନ୍‌ଏସି ଅଞ୍ଚଳରେ ଥିବା ହୋଟେଲ୍‌ରେ ରହି ନିତିଦିନିଆ ପ୍ରଚାର ଚଳାଇଲେ। ହେଲେ କଂଗ୍ରେସ ତାଲିକାରେ ଥିବା ତାଙ୍କ ଦଳର ଛତିଶଗଡ଼ ନେତାଙ୍କ ଦେଖା ମିଳିଲା ନାହିଁ। ଭାଜପା ପାଇଁ ପ୍ରଚାର କରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆସି ଦୁଇଟି ସ୍ଥାନରେ ଜନସଭା କରି ପ୍ରଚାର କରି ଗଲେ। ହେଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରେ ଥିବା ସତ୍ତ୍ୱେ ଥରୁଟିଏ ବି ଆସିଲେନାହିଁ। ସେହିପରି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡିଙ୍କ ନାମ କଂଗ୍ରେସ ପ୍ରଚାରକ ତାଲିକାରେ ରଖିଥିଲା, ସେ ଆସିବେ ବୋଲି ବାରମ୍ବାର ଦଳ ପକ୍ଷରୁ କୁହାଯାଉଥିବା ବେଳେ ଶେଷରେ ସିଏ ମଧ୍ୟ ଆସିଲେ ନାହିଁ। ସଚିନ ପାଇଲଟ ଏବଂ କହ୍ନେୟା କୁମାରଙ୍କ ନାମ ରଖାଯାଇଥିଲା। ସେମାନେ ଦୁହେଁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲାଗି ପ୍ରଚାର କରିବାକୁ ଆସିବେ ବୋଲି କୁହାଯାଇଥିଲେ ସୁଦ୍ଧା ସେମାନେ ମଧ୍ୟ ଆସିଲେନାହିଁ। ସେମାନଙ୍କ ଭଳି କଂଗ୍ରେସର ତାଲିକା ଅନ୍ତର୍ଭୁକ୍ତ ମଲ୍ଲୁ ଭାଟି, ଅଳକା ଲାମ୍ବା, ଓ୍ବାଇଏନ୍‌ଏସ୍‌ ଲାଗୁରି, ଉଦୟଭାନୁ ଗିବ୍‌, ସେହେନଓ୍ବାଜ୍‌ ଚୌଧୁରୀ, ଜନକ ଧ୍ରୁବ, ଶିବକୁମାର ଦହରିଆ, ବରୁଣ ଚୌଧୁରୀ ଏମାନେ କେହି ନୂଆପଡ଼ା ପ୍ରଚାରରେ ସାମିଲ ହେଲେ ନାହିଁ।
ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଘାସିରାମ ମାଝୀ ୫୦,୯୪୧ ଖଣ୍ଡ ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୧୦,୮୮୧ ଖଣ୍ଡ ଭୋଟ୍‌ରେ ହାରିଥିଲେ। ଭାଜପା ସେଥର ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ଅଭିନନ୍ଦନଙ୍କୁ ୪୪,୮୧୪ ଖଣ୍ଡ ଭୋଟ୍‌ ମିଳିଥିଲା। ବର୍ତ୍ତମାନ ସରିଥିବା ନୂଆପଡ଼ା ଉପନିର୍ବାଚନରେ ଘାସିରାମଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଘାସିରାମ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସେହି ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟ୍‌ ପ୍ରାୟ ୧ ଲକ୍ଷ ରହିଥିବା କୁହାଯାଉଛି। ତେଣୁ ଘାସିରାମ ଉପନିର୍ବାଚନରେ ସବୁଠାରୁ ଭଲ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେବା ସ୍ବାଭାବିକ। ତେଣୁ ଏହି ଉପନିର୍ବାଚନରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଭକ୍ତଙ୍କ ପାଖରେ ଏକ ଭଲ ସୁଯୋଗ ରହିଥିଲା। ଉପନିର୍ବାଚନରେ ପୂରା ରାଜ୍ୟରୁ ବଛା ବଛା ନେତାଙ୍କୁ ସେ ସାମିଲକରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରାଯାଇପାରିଥାଆନ୍ତା। ଏହା ହୋଇଥିଲେ ହୁଏତ ରାଜ୍ୟବ୍ୟାପୀ କଂଗ୍ରେସର ବହୁ ଯୁବ, ଛାତ୍ର ଏବଂ ବରିଷ୍ଠ ନେତାମାନେ ସାମିଲ ହୋଇ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଭଲ ହେବାର ଏକ ବାର୍ତ୍ତା ଦେବାର ସୁଯୋଗ ପାଇପାରି ଥାଆନ୍ତେ। ହେଲେ ସେ ଅକ୍ଟୋବର ୧୫ରେ ଏକ ଚିଠି ଜାରି କରି ‘ସବୁକିଛି ବ୍ୟବସ୍ଥିତ’ କରିବା ନଁାରେ ଅନେକ ନେତାଙ୍କୁ ପରୋକ୍ଷରେ ନୂଆପଡ଼ା ଯିବାରୁ ଅଟକେଇ ଦେଇଥିଲେ। ନୂଆପଡ଼ା ନିର୍ବାଚନମଣ୍ଡଳୀ ଭକ୍ତ ପୂର୍ବରୁ ଲଢ଼ିଥିବା ଲୋକ ସଭା କ୍ଷେତ୍ର କଳାହାଣ୍ଡି ଅନ୍ତର୍ଗତ ହୋଇଥିବାରୁ ସେ ବାହାର ନେତାଙ୍କୁ ଆଣି ନିଜ ପତିଆରା ହାନି କରିବାକୁ ଚାହୁଁ ନ ଥିଲେ ବୋଲି କେତେଜଣ କଂଗ୍ରେସ ନେତା କହି ବୁଲିଲେ। ଭକ୍ତ ଅନେକ ସମୟରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସଭାଜନ ହେବା ସହିତ ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ୱ ବିଗତ ଦିନରେ ତୁଲାଇଛନ୍ତି। ତେଣୁ କେନ୍ଦ୍ରର ଅନେକ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି ବୋଲି ଜଣାଶୁଣା। ଯେତେବେଳେ କଂଗ୍ରେସର ଶୀର୍ଷ ନେତୃତ୍ୱ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦୨୪ ନିର୍ବାଚନ ପରେ ୨ ଥର ଓଡ଼ିଶା ଆସି ସାରିଛନ୍ତି ସେତେବେଳେ ଉପନିର୍ବାଚନରେ ପ୍ରଚାର କରିବାକୁ ଛତିଶଗଡ଼ର ନେତା ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ନ ଆସିବା କଂଗ୍ରେସର ଭବିଷ୍ୟତକୁ ପୁନର୍ବାର ଅନ୍ଧାରକୁ ଠେଲିଦେବ ବୋଲି ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri