ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) କୁଶଳ ଚନ୍ଦ୍ର ନାୟକ, ଉପଜିଲାପାଳ ମନୋଜ ପାତ୍ରଙ୍କ ସହ ବିଡିଓ, ତହସିଲଦାର ଏବଂ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକରେ ୭୧ ଓ ଧାମନଗର ବ୍ଲକରେ ୧୮୧ ସମୁଦାୟ ୨୫୨ ବୁଥ୍‌ କରାଯିବ। ବୁଥ୍‌ଗୁଡ଼ିକର ନାମ ଠିକ୍‌ ଅଛି କି ନାହିଁ ତଦାରଖ କରିବାକୁ ଜିଲା ଶିକ୍ଷାଧିକାରୀ ଏବଂ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିବ୍ୟାଙ୍ଗ ଏବଂ ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଭୋଟରମାନଙ୍କ ପାଇଁ ପ୍ରଥମଥର ଏହି ନିର୍ବାଚନରେ ପ୍ରଚଳନ ହେବାକୁ ଥିବା ଡାକ ଭୋଟ୍‌ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ସୂଚନା ଦେଇଥିଲେ। ବିଏଲ୍‌ଓ ଏବଂ ଅନ୍ୟ କର୍ମଚାରୀଙ୍କ ଜରିଆରେ ଏହି ଭୋଟରମାନଙ୍କୁ ଚିହ୍ନଟ ପାଇଁ ସର୍ଭେ କରି ଡାକଭୋଟ ପାଇଁ ଇଚ୍ଛୁକ ଥିବା ସ୍ବୀକୃତିପତ୍ର ସଂଗ୍ରହ କରିବାକୁ ଜିଲାପାଳ କହିଥିଲେ।