ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ: ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଦୁଇ ଭାଇ

ରାଇକିଆ,୩୦ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱର ପଞ୍ଚାୟତ ସିକବାଡି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ କରିଥିବା ଜଣେ ଅଣଓଡ଼ିଆ ଯୁବକଙ୍କୁ ବାପା ଓ ଦାଦା ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଝାଡ଼ଖଣ୍ଡ ରାଜ୍ୟ ଚିରପାଲି ଅଞ୍ଚଳର ନୀରୁପଲ୍‌ ମେହେଟୋ (୪୦)। ପୋଲିସ ରବିବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଅଭିଯୁକ୍ତ ୨ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି। ଫୁଲବାଣୀରୁ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ ମାସ ହେଲା ମାଣିକେଶ୍ୱର ପଞ୍ଚାୟତର ବୀର ଛକରୁ ଇନ୍ଦ୍ରଗଡ଼ ପଞ୍ଚାୟତ ଲଣ୍ଡାବାଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ଗତ ମାସେ ହେଲା ନୀରୁପଲ୍‌ ଉକ୍ତ ରାସ୍ତା କାମରେ ନିୟୋଜିତ ଠିକାଦାର ସଂସ୍ଥାରେ ମିକ୍ସର୍‌ ମେଶିନ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଶନିବାର ସିକବାଡିର ଦିବ୍ୟାଙ୍ଗ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନ଼େଇ ନୀରୁପଲ୍‌ ତାଙ୍କ ଘରକୁ ଯାଇ ଅସଦାଚରଣ କରିଥିଲେ। ଘର ଲୋକେ ଆସିବା ପରେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳିକାଙ୍କ ବାପା ଓ ଦାଦା ମିଶି ଉକ୍ତ ଠିକାଦାର କ୍ୟାମ୍ପକୁ ଯାଇଥିଲେ। ସେମାନେ ନୀରୁପଲ୍‌ଙ୍କୁ ବାହାରକୁ ଡାକି ନିସ୍ତୁକ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ସମ୍ପୃକ୍ତ ଠିକାଦାର ସଂସ୍ଥାର କର୍ମଚାରୀ ରୋହିତ ଗଉଡ ରବିବାର ରାଇକିଆ ଥାନାରେମ୍‌ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୨ ଭାଇଙ୍କୁ କାବୁ କରିଥିଲା। ନୀରୁପଲ୍‌ଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ରାଇକିଆରେ ପହଞ୍ଚି ଥିଲେ ମଧ୍ୟ ରାତି ହୋଇଯାଇଥିବାରୁ ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ନଂ. ୮୧/୨୩ରେ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର କହିଛନ୍ତି।