ଡାଇରିଆ, ଆଇସୋଲେଶନ ଓ୍ବାର୍ଡରେ ରୋଗୀ ହନ୍ତସନ୍ତ

ଢେଙ୍କାନାଳ, ୧୫ା୧୦(ରତନ ନାୟାର)ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ଓ ଆଇସୋଲେଶନ ଓ୍ବାର୍ଡରେ ଶନିବାର ବ୍ୟାପକ ବିଦ୍ୟୁତ୍‌ ଅବ୍ୟବସ୍ଥା ଦେଖାଦେଇଛି। ସକାଳ ୯ଟାରୁ ବିଦ୍ୟୁତ୍‌ ନ ଥିବାରୁ ଦିନତମାମ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ଏପରି କି ଶୌଚାଳୟରେ ବ୍ୟବହାର ପାଇଁ ପାଣିର ଅଭାବ ପରିସ୍ଥିତିକୁ ଅଧିକ ବିଗାଡ଼ି ଦେଇଛି। ରାତି ୯ଟା ସୁଦ୍ଧା ବ୍ୟବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହୋଇ ନ ଥିବାରୁ ଏ ନେଇ ରୋଗୀ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କେବଳ ଡାଇରିଆ ଓ୍ବାର୍ଡରେ ୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ଓ ଆଇସୋଲେଶନ ଓ୍ବାର୍ଡରେ ହଠାତ୍‌ ସକାଳ ୯ଟାରେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଥିଲା। କିଛି ସମୟ ପରେ ଲାଇନ ଆସିଯିବ ବୋଲି ସମସ୍ତେ ଭାବିନେଇଥିଲେ। ହେଲେ ଘଣ୍ଟା ପରେ ଘଣ୍ଟା ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସେବା ପୁନଃ ଚାଲୁ ହୋଇପାରି ନ ଥିଲା। ଓ୍ବାର୍ଡ ମଧ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଏ ନେଇ ରୋଗୀ ଓ ସମ୍ପର୍କୀୟମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଉଦ୍‌ବେଗ ସମ୍ପର୍କରେ ଜଣାଇଥିଲେ। ହେଲେ ମରାମତି କାମ କରାଯାଉଛି ବୋଲି କୁହାଯାଇଥିଲେ ହେଁ ରାତି ପର୍ଯ୍ୟନ୍ତ ବ୍ୟବସ୍ଥାରେ ସୁଧାର ଆସିପାରି ନ ଥିଲା। ଫଳରେ ରାତି ଅନ୍ଧାରରେ ମଧ୍ୟ ଓ୍ବାର୍ଡ ମଧ୍ୟରେ ଚିକିତ୍ସା ଜାରି ରହିଥିଲା। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରା ଡା, ଦିଲୀପ କୁମାର ବିଶ୍ୱାଳ କହିଛନ୍ତି, ବିଦ୍ୟୁତ୍‌ ବିଭ୍ରାଟ ହୋଇଥିବା ଜାଣିବା ପରେ ଜିଇଡି ପକ୍ଷରୁ ମରାମତି କରାଯାଉଥିଲା। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ ଶେଷ ହୋଇ ନ ଥିବାରୁ ୟୁପିଏସ୍‌ ମାଧ୍ୟମରେ କେବଳ ଗୋଟିଏ ଲାଇଟ ଓ୍ବାର୍ଡ ମଧ୍ୟରେ ଜଳାଯାଇଛି। ରାତିରେ ଜରୁରୀ ଚିକିତ୍ସା ପାଇଁ ଜେନେରେଟର ବ୍ୟବସ୍ଥା ହୋଇଛି। ରବିବାର ମରାମତି କାର୍ଯ୍ୟ କରାଯିବା ପରେ ସେବା ମିଳିପାରିବ। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ଭଳି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ବିଭ୍ରାଟ ଘଟିବା ଓ ତାହାକୁ ମରାମତି କରାଯାଇ ନ ପାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।