ନିରାମୟ କେନ୍ଦ୍ରରେ ମିଳୁନି ଡାଇବେଟିସ୍‌ ଔଷଧ

କଟକ,୧୬ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରରେ ପ୍ରାୟ ୨ ମାସ ହେବ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏସ୍‌ସିବି ମେଡିକାଲ ପରିସରରେ ଦୁଇଟି ନିରାମୟ କେନ୍ଦ୍ର ରହିଛି। ହେଲେ ସେଠାରେ ଡାଇବେଟିସ୍‌ ଔଷଧ ଉପଲବ୍ଧ ନାହିଁ। ମଙ୍ଗଳବାର ବିଶ୍ୱ ମଧୁମେହ ଦିବସରେ ଏସ୍‌ସିବି ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା କରାଯାଇ ଲୋକଙ୍କୁ ଠିକ୍‌ ସମୟରେ ଖାଦ୍ୟ ଏବଂ ଔଷଧ ଖାଇବା ନେଇ ସଚେତନତା ବାର୍ତ୍ତା ଦିଆଯାଇଥିବାବେଳେ ବୁଧବାର ୨୦୦ରୁ ଅଧିକ ରୋଗୀ ଔଷଧ ନ ପାଇ ନିରାମୟ କେନ୍ଦ୍ରରୁ ଫେରିଛନ୍ତି। ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିବାବେଳେ ନିରାମୟ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନୁଗୋଳ ଅଞ୍ଚଳରୁ ଆସିଥିବା ଜଣେ ବ୍ୟକ୍ତି ପରିଚୟ ଗୋପନ ରଖି କହିଛନ୍ତି, ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲି। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ପାଇଁ ନିରାମୟ କେନ୍ଦ୍ରକୁ ଯାଇଥିଲି। ହେଲେ ସେଠାରେ ଡାଇବେଟିସ ଔଷଧ ନ ମିଳିବାରୁ ନିରାଶ ହୋଇ ଫେରିବାକୁ ପଡିଛି। ଏ ସମ୍ପର୍କରେ ନିରାମୟ କେନ୍ଦ୍ରର ଉପଦେଷ୍ଟା ରଞ୍ଜନ ବିଶ୍ୱାଳ କହିଛନ୍ତି, ପ୍ରତିଦିନ ୧୦୦୦ରୁ ଅଧିକ ଔଷଧ ଷ୍ଟକ୍‌ ରଖାଯାଇଥାଏ। ହେଲେ ବୁଧବାର ଔଷଧ ନ ମିଳିବା ଘଟଣା ବିଷୟରେ ମୁଁ ଜାଣିନାହିଁ। ଗଣମାଧ୍ୟମରୁ ଏହି ଖବର ପାଇଲି। ତୁରନ୍ତ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଔଷଧ ମଗାଇବୁ। ରୋଗୀ ଯେପରି ଠିକ୍‌ ଭାବେ ଔଷଧ ପାଇପାରିବେ ସେ ନେଇ ଗୁରୁତ୍ୱ ଦେବୁ ବୋଲି ସେ କହିଛନ୍ତି। ଅପରପକ୍ଷରେ ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, ଏପରି କୌଣସି ଅଭିଯୋଗ ଆସିନାହିଁ। ନିରାମୟ କେନ୍ଦ୍ରରେ ଔଷଧ ଉପଲବ୍ଧ ନ ଥିଲେ ତୁରନ୍ତ ଆଣିବା ପାଇଁ ବ୍ୟବସ୍ଥା କରିବୁ।