ମିଳୁନି ‘ଧୁଡ଼ୁ’ର ପତ୍ତା

ତେଲକୋଇ,୧୪।୪: କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ବହୁ ଚର୍ଚ୍ଚିତ ବାର୍‌ହା ‘ଧୁଡ଼ୁ’ର ପତ୍ତା ମିଳୁନି। ୩ ଦିନ ହେବ ସେ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ ଫେରିନି। ତାକୁ ପାଳିପୋଷି ବଡ଼ କରିଥିବା କୁନ୍ତଳା କୁମାରୀ ପେଣ୍ଠେଇ ଅଭିଯୋଗ କରିଛନ୍ତି ଯେ, ଧୁଡ଼ୁକୁ କେହି ମାରି ଦେଇଛି। ତେବେ ଧୁଡୁକୁ ବିକ୍ରି କରି ଦିଆଯାଇଥିବା ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ସନ୍ଦେହ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ତେଲକୋଇ ବ୍ଲକ ଅଧୀନ ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା କୁମାରୀ ୨ବର୍ଷ ତଳେ ନିକଟସ୍ଥ ଜଙ୍ଗଲକୁ ଜଳେଣୀ କାଠ ପାଇଁ ଯାଇଥିବା ବେଳେ ଆହତ ଅବସ୍ଥାରେ ଏକ ବାର୍‌ହା ଛୁଆକୁ ଉଦ୍ଧାର କରି ଘରକୁ ଆଣି ତାର ସେବା ଶୁଶ୍ରୁଷା କରିଥିଲେ। ସ୍ନେହରେ ତାର ନାମ ଧୁଡ଼ୁ ରଖିଥିଲେ। ଖାଇପିଇ ବାର୍‌ହା ଛୁଆଟି ବଡ଼ ହେବା ପରେ ଘଟଣା ବନ ବିଭାଗର ନଜରକୁ ଆସିଥିଲା। ବନ୍ୟପ୍ରାଣୀ ସୁରକ୍ଷା ନିୟମକୁ ଆଧାର କରି ଗତ ମାର୍ଚ୍ଚ ୧୧ ତାରିଖରେ ବନ ବିଭାଗ କୁନ୍ତଳାଙ୍କଠାରୁ ଧୁଡ଼ୁକୁ ନେଇଯାଇ ୧୮ କି.ମି ଦୂର ଏକ ଜଙ୍ଗଲରେ ଛାଡ଼ି ଦେଇଥିଲା। ଏଣେ ଧୁଡ଼ୁକୁ ଝୁରିଝୁରି କୁନ୍ତଳା ଓ ତାଙ୍କ ପରିବାର ଲୋକ ଖାଇବା ପିଇବା ଛାଡ଼ି ଦେଇଥିଲେ। ପ୍ରତିଦିନ ସେହି ଜଙ୍ଗଲକୁ ଯାଇ ଧୁଡ଼ୁକୁ ଖୋଜିବାରେ ଲାଗିଥିଲେ। ୭ ଦିନ ପରେ କୁନ୍ତଳାଙ୍କ ଡାକ ଶୁଣି ଜଙ୍ଗଲ ଭିତରୁ ଧୁଡ଼ୁ ତାଙ୍କ ପାଖକୁ ଧାଇଁ ଆସିଥିଲା। କୁନ୍ତଳା ସାଙ୍ଗରେ ନେଇଥିବା ଭାତ ତାକୁ ଖାଇବାକୁ ଦେଇଥିଲେ। ସେଠାରୁ ଧୁଡ଼ୁକୁ ସାଙ୍ଗରେ ଧରି କୁନ୍ତଳା ଘରକୁ ଫେରିଥିଲେ। ସେହି ଦିନଠାରୁ ଧୁଡ଼ୁ କୁନ୍ତଳାଙ୍କ ଘରେ ରହି ଆସୁଥିଲା। ଏବେ ସେ ମିଳୁ ନ ଥିବାରୁ ପୁଣି ଥରେ ଧୁଡ଼ୁ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।