ଏକାଠି ହେଲେ ଧ୍ରୁବ, ଅଂଶୁମାନ

ରାଜନଗର, ୨୩ା୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି ସମନ୍ବୟ ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଫେବୃଆରୀ ୧୪ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଫେବୃଆରୀ ୧୬ରେ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ସେ ରାଜନଗର ଆଜି ଯାଏ ଆସିନାହାନ୍ତି। ବିଜେଡି କର୍ମୀ ଓ ଅଂଶୁମାନଙ୍କ ସମର୍ଥକଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଥିଲା। ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣିବାକୁ ସମନ୍ବୟ ବୈଠକ ବସିଥିଲା। ଏଥିରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ କୁମାର ଜେନା, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ। ଏଥିରେ ରାଜନଗର ବିଜେଡି କର୍ମୀ ଓ ଦଳରେ ସାମିଲ ହୋଇଥିବା ଅଂଶୁମାନଙ୍କ ସମର୍ଥକ ଥିଲେ। ବୈଠକରେ ଉଭୟ ଧ୍ରୁବ ଓ ଅଂଶୁମାନ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇ ନ ଥିଲେ ମଧ୍ୟ ଦଳର ହାଇକମାଣ୍ଡ ଗ୍ରୀନ ସିଗ୍‌ନାଲ ଦେଇ ସାରିଛନ୍ତି। ଧ୍ରୁବ ରାଜନଗର ପାଇଁ ଓ ଅଂଶୁମାନ ସଂସଦୀୟ କ୍ଷେତ୍ର ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନେତା ସ୍ପଷ୍ଟ କରିଥିଲେ। ଏଥିସହ ଆସନ୍ତା ୨୭ ତାରିଖରେ ରାଜନଗରରେ ସମ୍ବର୍ଦ୍ଧନା ସଭା ପରେ ସଂସଦୀୟ କ୍ଷେତ୍ରରେ ଅଂଶୁମାନ ବୁଲିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଉଭୟ କର୍ମୀ ଦଳର ଶୃଙ୍ଖଳା ମଧ୍ୟରେ କାମ କରିବେ। କେହି କାହା ବିରୋଧରେ ସୋସିଆଲ ମିଡିଆରେ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ରାଜନଗର ବ୍ଲକର ମହିଁଷାସୁରଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ।
ସମନ୍ବୟ ବୈଠକରେ ଅଂଶୁମାନ ଓ ଧ୍ରୁବ ପରସ୍ପରକୁ ମିଠା ଖୁଆଇଥିବା ଏବଂ ଯୋଗ ଦେଇଥିବା ଛାମୁଆ କର୍ମୀମାନେ ମଧ୍ୟ ମିଠା ଖାଇ ଏକ ହୋଇ କାମ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିରେ ବେଗୁନିଆର ବିଜେଡି ପର୍ଯ୍ୟବେକ୍ଷକ ମିଟୁ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ଚନ୍ଦ୍ର ସାହୁ, ରାଜନଗର ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଧ୍ୟକ୍ଷ ହେମନ୍ତ କୁମାର ସାହୁ, ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।