ଆଜି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ଅଫିସ, ୨୨ା୭: ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାର ପ୍ରତିବାଦରେ ଜିଲା ଓକିଲ ସଂଘର ଆହ୍ବାନକ୍ରମେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ଏହି ଅବସରରେ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟରେ ୨ଘଣ୍ଟିଆ ରେଳରୋକୋ କରାଯିବ। ଏଥିସହ କଲେଜ ବାଇପାସ୍‌ ଓ କୋରିଆଁ ବାଇପାସ୍‌, ଭାପୁରଠାରେ ରାସ୍ତାରୋକୋ କରାଯାଇଛି। ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବନ୍ଦ ପାଳନ ବେଳେ ଜରୁରୀ ସେବା ଜାରି ରହିବ। ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଜିଲା ରାଜସ୍ବ ଅମଲା ସଂଘ ପକ୍ଷରୁ ଏହାକୁ ନୀରବ ସମର୍ଥନ ଘୋଷଣା କରାଯାଇଥିବା ସଭାପତି ବିଭୂତି ଭୂଷଣ ପଟ୍ଟନାୟକ କହିଛନ୍ତି। ବନ୍ଦ ପାଳନକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଛି।