୫୦ବର୍ଷରେ ଶାନ୍ତିସ୍ତୂପ ଧଉଳି

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ଦେଶର ଅନ୍ୟତମ ବୌଦ୍ଧ ଐତିହ୍ୟ ଶାନ୍ତିସ୍ତୂପ ଧଉଳିକୁ ଆସନ୍ତା ୨୮ ତାରିଖରେ ୫୦ବର୍ଷ ପୂରୁଛି। ତେଣୁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏଥିରେ ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ନ୍ୟାସୀ ଯୋଗଦେବେ। ଉଦ୍‌ଘାଟନୀ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବା ସହ ପୂଜା ଆରମ୍ଭ ହେବ। ତେଣୁ ରବିବାର ଭିନ୍ନକ୍ଷମ ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ପରିଦର୍ଶରେ ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ୨ଦିନ ମଧ୍ୟରେ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଲାଇଟ୍‌, ସାଉଣ୍ଡ୍‌ ବ୍ୟବସ୍ଥା ସହ ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ପୂର୍ବରୁ କିଭଳି ସରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ନେଇ ମନ୍ତ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଚନ୍ଦନ ମଲିକ, ଭଗବାନ ସାହୁ, ସୁବାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।