ଝରକା ଭାଙ୍ଗି ଲୁଟ୍‌ କଲେ; ଯିବା ବେଳେ ମୁଣ୍ଡିଆ ମାରିଲେ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ମୁଣ୍ଡିଆ ମାରି ଚର୍ଚ୍ଚାରେ ଲୁଟେରା। ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଦୁଇ ଦିନ ତଳେ ଏକ ଡକାୟତି ହୋଇଥିଲା। ଝରକା ତାଡି ଘର ଭିତରକୁ ପଶିଥିଲେ ଲୁଟେରା। ପରେ ବୃଦ୍ଧା ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇଥିଲେ। ଡରରେ ବୃଦ୍ଧା ଜଣଙ୍କ ସୁନାଗହଣା ଦେଇ ଦେଇଥିଲେ। ହେଲେ ୧୫ ଲକ୍ଷ ଟଙ୍କାର ସୁନାଗହଣା ଡକାୟତି ପରେ ଲୁଟେରା ବୃଦ୍ଧାଙ୍କୁ ମୁଣ୍ଡିଆ ମାରି ଫେରାର ହୋଇଯାଇଥିଲେ। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ଘଟଣାରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି । ୫ ଜଣ ହିନ୍ଦୀ ଭାଷାଭାଷୀ ଲୋକ ଆସି ଲୁଟ୍‌ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଛି। ସିସିଟିଭି ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି।