ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ଧର୍ମେନ୍ଦ୍ରଙ୍କ ପ୍ରଚାର ଆରମ୍ଭ

ଅନୁଗୋଳ, (ଅମିତ କୁମାର ସାମଲ)/ ଛେଣ୍ଡିପଦା,୪ା୪ (ଅଜିତ ଧଳ)ଭାଜପାର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ବୁଧବାରଠାରୁ ବିଧିବଦ୍ଧ ଭାବେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମରେ ନୂତନ ଭାବେ ପ୍ରତିଷ୍ଠିତ ମା’ ଡାକେଶ୍ୱରୀଙ୍କ ଦର୍ଶନ କରିବା ସହ ବହୁ ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନମଣ୍ଡଳୀଙ୍କ ଗହଣରେ ପ୍ରଧାନ ପ୍ରଚାରକୁ ଓହ୍ଲାଇଥିଲେ।
ଏହି ଅବସରରେ ପ୍ରଧାନ କହିଥିଲେ, ମା’ ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ‘ମୋଦି ପ୍ରଚାର ଅଭିଯାନ’ ଆରମ୍ଭ କରାଗଲା। ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଏହି ପବିତ୍ର ଭୂମିରୁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ ହେଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗରିବ କଲ୍ୟାଣ, ଆତ୍ମନିର୍ଭର ଭାରତ, ଭବିଷ୍ୟତରେ ଭାରତକୁ ନୂଆ ଶିଖରକୁ ନେବା ହେଉଛି ନିର୍ବାଚନର ମୂଳ ପ୍ରସଙ୍ଗ। ମୋଦିଙ୍କ ନେତୃତ୍ୱରେ ଭାରତ ନିଜର ସ୍ଥାନ ନିରୂପଣ କରିସାରିଛି। ଗରିବଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଆରମ୍ଭ ହୋଇଛି। ବିରୋଧୀ ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେଉଥିବା ବେଳେ ମୋଦି ସେମାନଙ୍କୁ ହଟାଇବାରେ ଲାଗିଛନ୍ତି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ବାଚନର ମୂଳ ବିଷୟ। ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଗାଁ ଗାଁରେ ସ୍ବଚ୍ଛ ପିଇବା ପାଣି ନାହିଁ। ସମ୍ବଲପୁର ଜିଲାର ହୀରାକୁଦ ଭଳି ଅଞ୍ଚଳରେ ଡାଇରିଆ ବ୍ୟାପୀ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଦୀର୍ଘ ୨୫ ବର୍ଷ ସରକାରରେ ନାଗରିକଙ୍କୁ ସ୍ବଚ୍ଛ ପାନୀୟ ଜଳ ମିଳିନାହିଁ। ଯୁବବର୍ଗଙ୍କୁ ରୋଜଗାର ନାହିଁ। ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି। ମହିଳା ଅତ୍ୟାଚାରରେ ଓଡ଼ିଶା ଜାତୀୟସ୍ତରରେ ବଦନାମ ହେଉଛି। ଓଡ଼ିଶାକୁ ଏଥିରୁ ମୁକ୍ତି ଦେବା ପାଇଁ ମୋଦିଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ।