ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ ସାହସପୁର ସରପଞ୍ଚ ସୁକାନ୍ତି ଜୟପୁରିଆଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ଦଳରେ ସ୍ବାଗତ କରିଥିଲେ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ସହ ରାଜ୍ୟରେ ଭାଜପା ସରକାର କରିବାକୁ ଆହ୍ବାନ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ଶାସନ ଥିଲା ବେଳେ ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ମିଳିଥିଲା ବୋଲି କହିଛନ୍ତି। କିନ୍ତୁ ୨୦୧୪ରୁ ମୋଦି କ୍ଷମତାକୁ ଆସିବା ପରେ ୨୦୨୪ ଭିତରେ ୧୮ ଲକ୍ଷ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ କରିଛନ୍ତି। ଝାରସୁଗୁଡା ଜିଲାକୁ ୬୫୦ କୋଟି ଟଙ୍କାର ୪୦ ହଜାର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଛି। ଝାରସୁଗୁଡାରେ ୧ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଲଗାଇଛୁ। ୪ ହଜାର କୋଟି ଟଙ୍କା ଝାରସୁଗୁଡାକୁ କେନ୍ଦ୍ରରୁ ଆସିଛି, ହେଲେ ଖର୍ଚ୍ଚ କରାଗଲାନି। ଡିଏମ୍‌ଏଫ୍‌ ଫଣ୍ଡ ବ୍ୟବହାର ଲଇକେରା ବ୍ଲକରେ ଖର୍ଚ୍ଚ କରାଯାଉ ନାହିଁ। ଡାକ୍ତର ଅଭାବ ଯୋଗୁ ଜିଲା ବାହାରକୁ ଯାଉଛନ୍ତି ଲୋକେ। ଜିଲାର ପଇସା ଅନେକ ଅଛି ହେଲେ ଏଠିକାର ଲୋକେ ତାହା ପାଇପାରୁ ନାହାନ୍ତି। ଓଡ଼ିଶାରେ ଘରେ ଘରେ ପିଇବା ପାଣି ପାଇଁ ୧୦ ହଜାର କୋଟି ଦେଇଛନ୍ତି ମୋଦ। ୮ଶହ କୋଟି ଟଙ୍କା ଖର୍ଚ୍ଚ କରି ବାକି ଟଙ୍କା ଆତ୍ମସାତ କରିଦେଲେ। ଯେଉଁ ରାଜ୍ୟରେ ସରକାରୀ ଦଳର ମନ୍ତ୍ରୀଙ୍କୁ ସରକାରଙ୍କ ପୋଲିସ ହତ୍ୟା କରୁଛି ତାକୁ ଆମେ ଶାସନ କହିବା କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ। ଦେଶର ବିକାଶ ଧାରାରେ ଯୋଡି ହେବାକୁ ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବାକୁ ପ୍ରଧାନ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।