ଶିଶୁଙ୍କ ଲାଗି ‘ଯାଦୁଇ ପିଟାରା’ ଉନ୍ମୋଚନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର, ୨୧ା୨(ବ୍ୟୁରୋ):ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢ଼ିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ ୨ ପିଟାରାର ଉନ୍ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ପାଠପଢା ଦୃଶ୍ୟପଟ୍ଟକୁ ଅଧିକ ଜୀବନ୍ତ କରିବା ଦିଗରେ ଏହା ଏକ ଐତିହାସିକ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ୩ ବର୍ଷରୁ ୮ ବର୍ଷ ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା ଶିଖିବା ଏବଂ ଶିଖାଇବାର ଉପକରଣ ଶୁଭାରମ୍ଭ ହୋଇଯାଇଛି। ଯାଦୁଇ ପିଟାରା ଏଭଳି ଏକ ପଦକ୍ଷେପ, ଯେଉଁଥିରେ ପିଲାମାନେ ବିଭିନ୍ନ ଖେଳ, ଗୀତ, କାହାଣୀ ଏବଂ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନେ ପାଠ ପଢିବେ। ଜାତୀୟ ଶିକ୍ଷା ନୀତି ଆଧାରରେ ଯାଦୁଇ ପିଟାରା ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନ୍‌ସିଏଫ୍‌) ଅଧୀନରେ ବିକଶିତ ହୋଇଥିବା ବେଳେ ଏହା ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ରହିଛି। ନୂଆ ଶିକ୍ଷା ନୀତିର କଳ୍ପନାରେ ପାଠପଢା ଏବଂ ଶିକ୍ଷା ବାତାବରଣକୁ ସମୃଦ୍ଧ କରିବା ଏବଂ ଉଲ୍ଲାସର ସହ ପାଠପଢାକୁ ଶିଶୁକୈନ୍ଦ୍ରିକ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ। ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଏବଂ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ କେ. କସ୍ତୁରିରଙ୍ଗନଙ୍କୁ ଧନ୍ୟବାଦ ଦେଇଛନ୍ତି।