ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୭: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମପି ରାହୁଲ ଗାନ୍ଧୀ ଶୁକ୍ରବାର ଭୁବନେଶ୍ୱରରେ ‘ସମ୍ବିଧାନ ବଚାଓ ସମାବେଶ’କୁ ସମ୍ବୋଧିତ କରିଥିଲେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ଖାର୍ଗେଙ୍କ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ସମ୍ବିଧାନ ବଚାଓ ରାଲି ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ଯ୍ୟଟନ ଥିଲା। ଏହା ସମ୍ବିଧାନ ବଚାଓ ନୁହେଁ ବରଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବଚାଓ ସମାବେଶ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଭାଜପାର ଜନ କଲ୍ୟାଣକାରୀ ସରକାର ପ୍ରତି ଲୋକଙ୍କ ଅଟଳ ବିଶ୍ୱାସ କଂଗ୍ରେସକୁ ବିରକ୍ତ କରୁଛି। ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ଦଶନ୍ଧି ପୂର୍ବରୁ ଓଡ଼ିଶାର ଗରିବ, ଦଳିତ, ଆଦିବାସୀ, ଚାଷୀ ଏବଂ ଶ୍ରମିକମାନେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରି ପରିସ୍ଥିତିରେ, ଓଡ଼ିଶାର ଗରିବଙ୍କ କଲ୍ୟାଣ ବିଷୟରେ ରାହୁଲ ଗାନ୍ଧୀଙ୍କ କଥା କେବଳ ପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ।
ଧର୍ମେନ୍ଦ୍ର କହିଛନ୍ତି ଯେ କଂଗ୍ରେସର ଇତିହାସ ସର୍ବଦା ଗରିବ ଏବଂ ଦୁର୍ବଳ ବର୍ଗର ଅଧିକାରକୁ ଅଣଦେଖା କରିବାର ରହିଆସିଛି। କେତେବେଳେ ଦିଲ୍ଲୀରୁ କଂଗ୍ରେସ ସରକାର ପଠାଇଥିବା ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଲୁଟ କରାଯାଉଥିଲା, ଆଉ କେତେବେଳେ ଏସସି-ଏସଟି ଏବଂ ପଛୁଆ ବର୍ଗଙ୍କ ଅଧିକାର କଂଗ୍ରେସ ଦ୍ୱାରା ଏହାର ବିଶେଷ ଭୋଟ ବ୍ୟାଙ୍କକୁ ହସ୍ତାନ୍ତର କରାଯାଉଥିଲା। ସରଳ ଏବଂ ସ୍ପଷ୍ଟ ଶବ୍ଦରେ କହିବାକୁ ଗଲେ, ଯେପର୍ଯ୍ୟନ୍ତ କଂଗ୍ରେସ କ୍ଷମତାରେ ନାହିଁ ସେପର୍ଯ୍ୟନ୍ତ ଗରିବଙ୍କ ଅଧିକାର ଏବଂ ଆଦିବାସୀଙ୍କ ଜମି ସୁରକ୍ଷିତ।
ସେ କହିଛନ୍ତି, ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଖରାପ ପରାଜୟ ବରଣ କରିଛି। ଏହା ପରେ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ର୍ନିବାଚନ କମିଶନ ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ନିଜ ପରାଜୟ ପାଇଁ ଦାୟୀ କରୁଛନ୍ତି। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ଯେଉଁ କଂଗ୍ରେସ ଗଣତନ୍ତ୍ରର ଗଳା କାଟି ସମ୍ବିଧାନକୁ ଦଳି ଦେଇ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା, ସେହି କଂଗ୍ରେସ ସମ୍ବିଧାନକୁ ବଞ୍ଚାଇବା ପାଇଁ ପ୍ରଚାର କରୁଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଅବସ୍ଥା ଆଜି ‘ ନାଚ ନ ଜାନେ ଆଙ୍ଗନ ତେଢା’ ଭଳି। ବାରମ୍ବାର ର୍ନିବାଚନୀ ପରାଜୟ ପରେ, ବିହାରର ଆଗାମୀ ର୍ନିବାଚନରେ ପରାଜୟକୁ ଦୃଷ୍ଟିରେ ରଖି ପୁଣି ଥରେ କଂଗ୍ରେସ ଦଳ ’ଭୋଟ ଚୋରି’ର ଏକ ନୂତନ ସ୍ଲୋଗାନ ଦେଇଛି। କିନ୍ତୁ ଓଡ଼ିଶା ସମେତ ଦେଶର ଲୋକମାନେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଛଳନାକୁ ଚିହ୍ନି ସାରିଛନ୍ତି। ଭବିଷ୍ୟତରେ ମଧ୍ୟ, ପ୍ରତ୍ୟେକ ର୍ନିବାଚନରେ ଲୋକମାନେ ଏପରି ଜନବିରୋଧୀ ଏବଂ ସମ୍ବିଧାନ ବିରୋଧୀ ଲୋକଙ୍କୁ ଉଚିତ ଜବାବ ଦେବେ।


