ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨।୧୧(ବ୍ୟୁରୋ): ଚଳିତ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍‌ କଟକଣାକୁ ମାନି ଜଗନ୍ନାଥଙ୍କ ମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢଙ୍ଗରେ ଖୋଲାଯାଉ। ଏନେଇ ରାଜ୍ୟ ସରକାରଙ୍କୁ ଟୁଇଟ୍‌ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି ଯେ, କାର୍ତ୍ତିକ ମାସ ଆଧ୍ୟାତ୍ମିକ ମାସଭାବେ ରାଜ୍ୟବାସୀଙ୍କ ପାଖରେ ବେଶ୍‌ ଆଦୃତ। ଏହି ମାସରେ ଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷାରତ ଥାଆନ୍ତି। ଇତିମଧ୍ୟରେ ଭାରତବର୍ଷରେ କୋଭିଡ୍‌ କଟକଣାକୁ ମାନି ଅନେକ ମନ୍ଦିର ଖୋଲାଗଲାଣି। ଲୋକଙ୍କ ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ଏହି କାର୍ତ୍ତିକ ମାସରେ ଅନ୍ୟ ରାଜ୍ୟ ଭଳି ଜଗନ୍ନାଥଙ୍କ ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ନିୟନ୍ତ୍ରିତ ଢଙ୍ଗରେ ଭକ୍ତଙ୍କ ପାଇଁ ଖୋଲିବାକୁ ରାଜ୍ୟ ସରକାରଙ୍କୁ ସେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଶ୍ରୀମନ୍ଦିର ସମେତ ଓଡ଼ିଶାର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ କୋଭିଡ୍‌ ନିୟମ ପାଳନ କରିବାର ସମସ୍ତ ପ୍ରସ୍ତୁତି ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଉପରେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।