ଭୁବନେଶ୍ୱର,୨୬ା୧୦: ଆମ ଚାରିପାଖରେ ପଡି ରହିଥିବା ଜିନିଷ ହିଁ ପ୍ରଦୂଷଣ ବଢାଉଛି। ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ। ଆମେ ବଜାରରୁ ପ୍ଲାଷ୍ଟିକ ଓ ପଲିଥିନରେ ଜିନିଷ ଆଣୁଛୁ, କିନ୍ତୁ ତାହାକୁ ଠିକ୍ ଉପାୟରେ ବ୍ୟବହାର ନ କରି ଏଠିସେଠି ଫିଙ୍ଗି ଦେଉଛୁ। ଏଗୁଡିକ ମାଟିରେ ନ ମିଶି ପରିବେଶକୁ ପ୍ରଦୂଷିତ କରୁଛି। ସେହିପରି ଅଧିକାଂଶ ଲୋକ ନିଜକୁ ହାଇକ୍ଲାସ ଦେଖାଇବା ପାଇଁ ଆବଶ୍ୟକ ନ ଥାଇ ମଧ୍ୟ ଗୋଟେ ପରେ ଗୋଟେ ଗାଡ଼ି କିଣୁଛନ୍ତି। ଏହାଦ୍ୱାରା ବାୟୁ ଓ ଶବ୍ଦ ଉଭୟ ପ୍ରଦୂଷିତ ହେଉଛି।
ଏସମା ଦିଗଲ, ଛାତ୍ରୀ, ପ୍ରମିଳା ଦେବୀ କଲେଜ, ଦାରିଙ୍ଗବାଡ଼ି, କନ୍ଧମାଳ
ଆଗକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ପଡ଼ିବ
କଳକାରଖାନା ଓ ବିଭିନ୍ନ ଶିଳ୍ପନୁଷ୍ଠାନର ବର୍ଜ୍ୟ ମାଟି, ପାଣିରେ ମିଶି ପ୍ରଦୂଷଣ ମାତ୍ରା ବଢାଉଛି। ଏହାଦ୍ୱାରା ମଣିଷ ଯେତିକି ସମସ୍ୟା ଭୋଗୁଛନ୍ତି, ତା’ଠାରୁ ଅଧିକ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ପ୍ରଦୂଷିତ ପାଣି ବ୍ୟବହାର କରି ଲୋକଙ୍କଠାରେ ଶ୍ୱାସରୋଗ, ଚର୍ମରୋଗ ଇତ୍ୟାଦି ସୃଷ୍ଟି ହେଉଛି। ସେହିପରି ରାସ୍ତାକଡ଼ରେ ଗଦା ଗଦା ଅଳିଆ ଆବର୍ଜନା ପଡି ରହୁଛି। କ୍ଷେତରେ ବିଭିନ୍ନ ରସାୟନିକ ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା ମଧ୍ୟ କମିବାରେ ଲାଗିଛି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଆହୁରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ପଡ଼ିବ।
ବର୍ଷା ମୁଦୁଲି, ଛାତ୍ରୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର